ବିଜେପି ନେତାଙ୍କୁ ପାଣ୍ଡିଆନଙ୍କ ବଡ଼ ସମାଲୋଚନା

ମୁଖ୍ୟମନ୍ତ୍ରୀ ଆପଣଙ୍କ ଗୁରୁଙ୍କ ଗୁରୁ ସହ କ୍ଯାବିନେଟରେ କାମ କରିଛନ୍ତି'

କଟକ,(ସାକ୍‌ସୀ ନ୍ୟୁଜ୍‌): ବାରବାଟୀ ଷ୍ଟାଡିୟମରୁ ବିଜେପି ନେତାଙ୍କୁ ପାଣ୍ଡିଆନଙ୍କ ସମାଲୋଚନା। ବିରୋଧୀଙ୍କ ମୁଣ୍ଡ କାମ କରୁନି କହି ବିରୋଧୀଙ୍କୁ କଲେ ଟାର୍ଗେଟ। ଜନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପି ନେତାଙ୍କୁ କଟୁ ସମାଲୋଚନା କରିଛନ୍ତି ପାଣ୍ଡିଆନ। କହିଛନ୍ତି, ‘ଏ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜି ଯାଇଛି । ସେମାନଙ୍କ ମୁଣ୍ଡ କାମ କରୁନି । ବାହାରୁ ବିରୋଧୀ ବିଜେପିର ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆସୁଛନ୍ତି । ଆମ ମୁଖ୍ୟମନନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଅଶାଳୀନ ବ୍ୟବହାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଯିଏ ଅସମ୍ମାନ କରିବେ ତାଙ୍କୁ ଆପଣମାନେ କଡ଼ା ଜବାବ ଦେବେ ।’

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଆଟାକ କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଆପଣଙ୍କ ଗୁରୁଙ୍କ ଗୁରୁ ସହ କ୍ଯାବିନେଟରେ କାମ କରିଛନ୍ତି । ୧୯୯୮ରେ ବାଜପେୟୀଙ୍କ ସରକାରରେ କ୍ଯାବିନେଟ ମନ୍ତ୍ରୀ ଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଇ ବ୍ୟବହାର କରିବାକୁ ବିନମ୍ର ଅନୁରୋଧ କରୁଛି । କେମିତି ଜଣେ ମୁଖ୍ୟମନ୍ତ୍ରୀ ସାଙ୍ଗରେ କଥା ହେବାର ଅଛି ଶିଖିକି ଯିବେ । ଅତିଥିଙ୍କୁ ଓଡ଼ିଶା ମାଟିରେ ଅସମ୍ମାନ୍ କଲେ ଠିକ୍ ଲାଗିବନି । ମହାପ୍ରଭୁ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ।’

ଆଗକୁ ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯିଏ ଅପପ୍ରଚାର କରୁଛନ୍ତି ତାଙ୍କୁ ଭୋଟ ଜରିଆରେ କଡ଼ା ଜବାବ ଦିଅନ୍ତୁ । ବିଜେପିର ନେତାମାନେ ଜନତାଙ୍କୁ ଧମକ ଦେଉଛନ୍ତି । ଆମ ସରକାର ଆସୁଛି, ହଇରାଣ କରିବୁ, ବିଲ ପାସ କରିବାକୁ ଦେବୁ ନାହିଁ ବୋଲି କହୁଛନ୍ତି । ବିଜେଡିର ଗୋଟିଏ ବି କର୍ମୀଙ୍କର କିଛି କରିପାରିବେନି । ମୁଖ୍ୟମନ୍ତ୍ରୀ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଆପଣ ଆମକୁ ଧମକ ଦେଲେ ଆପଣ ଗୋଟିଏ ବି କାମ କରିପାରିବେନି।’

ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍ ରଦ୍ଦ ଘୋଷଣା ପରେ ବିରୋଧୀଙ୍କୁ କରେଣ୍ଟ ଲାଗିଛି । କହୁଛନ୍ତି, ମାଗଣା ବିଜୁଳି ଦେବେ, ୫୦ ହଜାର ଟଙ୍କା ଲୋକେ ଖର୍ଚ୍ଚ କଲେ ଘରେ ଘରେ ସୋଲାର ପ୍ଯାନେଲ ଲଗାଇବେ । ସୂର୍ଯ୍ୟ କିରଣରୁ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି । ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି, ଏମାନଙ୍କୁ ଚିହ୍ନିକି ରଖନ୍ତୁ ।

ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ବିଜୁଳି ବିଲ ଛାଡ଼ କରିବାକୁ ପ୍ରଥମ ଦସ୍ତଖତ କରିବେ । ଦ୍ଵିତୀୟ ଦସ୍ତଖତ ବିଏସକେୱାଇ ଯୋଜନା କାର୍ଡରେ କରିବେ । ମିଶନଶକ୍ତି ମାଆଙ୍କୁ ପେନସନ ପାଇଁ ତୃତୀୟ ଦସ୍ତଖତ କରିବେ । ଏ ସରକାର ଆପଣଙ୍କ ସରକାର, ଯୁବପିଢି ଓ ଚାଷୀ ଭାଇ ଭଉଣୀଙ୍କ ସରକାର । ଆପଣଙ୍କୁ କିଏ ବି ହାତ ମାରି ପାରିବେନି । ନବୀନ ବାବୁଙ୍କ ହାତ ଆପଣଙ୍କ ପଛରେ ଅଛି । ବିପୁଳ ଭୋଟରେ ଯୋଡ଼ି ଶଙ୍ଖରେ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରାନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି।