କେଉଁଠି ୫୦ ଟଙ୍କା ତ ଆଉ କେଉଁଠି ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ଚଢ଼ା ଦର ସହ ଆଳୁ ସଙ୍କଟ କଲବଲ କରୁଥିବାରୁ ଜନ ଅସନ୍ତୋଷ ବି ତେଜିଲାଣି। ବିଶେଷ କରି ଆଳୁ କଟକଣା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ବର୍ଷିବା ସହ ପ୍ରତିବାଦ କଲେଣି ସାଧାରଣ ଜନତା। ଯାହାର ଉଦାହରଣ ଦେଖିବାକୁ ମିଳିଥିଲା କଟକ ମଙ୍ଗୁଳିଛକରେ ।ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ପରିବହନ ସ୍ବାଭାବିକ କରାଯାଉନି ଏବଂ କଟକଣା ଲଗାଯାଉଛି, ତାର ବଦଲା ନେଇ ପଶ୍ଚିମବଙ୍ଗ ମୁହାଁ ଖାଦ୍ୟ ସାମଗ୍ରୀ ଗାଡ଼ିକୁ ଅଟକ ରଖିଥିଲେ ସାମାଜିକ କର୍ମୀ ।
ରାଜ୍ୟରେ ଆଳୁ ସଙ୍କଟ ଭିତରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ଖାଉଟିଙ୍କ ମଧ୍ୟରେ କିଛି ଆଶ୍ୱସ୍ତି ଆଣିଛି ସତ କିନ୍ତୁ ଗ୍ରାଉଣ୍ଡରେ ସ୍ଥିତି ପୂରା ଭିନ୍ନ। ଏବେ ବି ଖାଉଟିଙ୍କୁ ଆଳୁ କିଣିବାକୁ କିଲୋ ପିଛା ୬୦ ଟଙ୍କା ଗଣିବାକୁ ପଡୁଛି। ଏପରିକି ମାର୍କେଟରୁ ଆଳୁ ଉଭାନ ହୋଇଯାଇଛି। ଆସନ୍ତାକାଲି ସୁଦ୍ଧା ଯଦି ପର୍ଯ୍ୟାପ୍ତ ପରିମାଣରେ ଆଳୁ ନ ପହଞ୍ଚେ ତେବେ ବଜାରରେ ଆହୁରି ଚଢା ଦରରେ ବିକ୍ରି ହେବ ଆଳୁ। ପଶ୍ଚିମବଙ୍ଗ ସରକାରଙ୍କ କଟକଣା କାରଣରୁ ଚୋରାରେ ଓଡ଼ିଶାକୁ ଆସୁଛି ଆଳୁ। ସେହିଭଳି କିଛି ଗାଡି ରାଞ୍ଚି ଦେଇ ଆସୁଥିବାରୁ ଆଳୁ ଯୋଗାଣ ବିଳମ୍ବିତ ହେଉଛି। ଏସବୁ ଭିତରେ ବିରୋଧୀଙ୍କ ଦାବି, ଆଳୁକୁ ନେଇ ରାଜନୀତି କରାନଯାଉ। ଯେଉଁଠୁ ବି ଆଳୁ ଆଣି ରାଜ୍ୟବାସୀଙ୍କୁ ସୁଲଭ ଦରରେ ଯୋଗାଇ ଦିଆଯାଉ।