ଥମୁନି ପାଣ୍ଡିଆନଙ୍କ ଚର୍ଚ୍ଚା

ପାଣ୍ଡିଆନଙ୍କ ବିନା ନିର୍ଦ୍ଦେଶରେ ବିଜୁ ଜନତା ଦଳ କିମ୍ବା ସରକାରରେ ପତ୍ରଟିଏ ବି ହଲୁନଥିଲା । ଅଖଣ୍ଡ କ୍ଷମତାର ଅଧିକାରୀ ଥିଲେ ଭିକେ ପାଣ୍ଡିଆନ । ସେ ଯେଉଁଠିକୁ ଯାଉଥିଲେ ପ୍ରବଳ ଭିଡ ଦେଖିବାକୁ ମିଳୁଥିଲା । ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲା ହେଉ କିମ୍ବା ନିର୍ବାଚନ ମଣ୍ଡଳୀରୁ ଅନ୍ୟ ନିର୍ବଚନ ମଣ୍ଡଳୀ, ହେଲିକପ୍ଟରରେ ଯିବା ଆସିବା କରୁଥିଲେ ଭିକେ ପାଣ୍ଡିଆନ । ବିଜେଡିର ପରାଜୟ ପରେ କେବଳ ଭିଡିଓଟିଏ ଜାରି କରି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ଭିକେ ପାଣ୍ଡିଆନ।

ଏବେ ପାଣ୍ଡିଆନଙ୍କୁ ନେଇ ପୁଣି ଚର୍ଚ୍ଚା । ଏଥର ତାଙ୍କ ବୁଲାବୁଲି ନୁହେଁ ବରଂ ବୁଲାବୁଲି ଖର୍ଚ୍ଚକୁ ନେଇ ଜୋର ଧରିଛି ଚର୍ଚ୍ଚା । ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ବେଳେ ହେଲିକପ୍ଟରରେ ବୁଲୁଥିଲେ ଭିକେ ପାଣ୍ଡିଆନ । ପ୍ରତିଦିନ ୫/୬ଟି ନିର୍ବାଚନ ମଣ୍ଡଳୀ କଭର୍‌ କରୁଥିଲେ । କେବଳ ନିର୍ବାଚନ ବେଳେ ନୁହେଁ ସରକାରୀ କାର୍ଯ୍ୟରେ ଲୋକଙ୍କୁ ଅଭିଯୋଗ ଶୁଣିବାକୁ ଯିବା ବେଳେ ବି ହେଲିକପ୍ଟର ବ୍ୟବହାର କରୁଥିଲେ ପାଣ୍ଡିଆନ । ଯାହାକୁ ନେଇ ଏବେ ନୂଆ ବିଜେପି ସରକାର ଆରମ୍ଭ କରିଦେଇଛି ତଦନ୍ତ ।

ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଗସ୍ତ ଏବଂ ଖର୍ଚ୍ଚକୁ ନେଇ ବଡ଼ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ମନ୍ତ୍ରୀ କହିଛନ୍ତି, ହେଲିକପ୍ଟର କିଏ ନେଇ ପାରିବ ଏହାର ଏକ ମାପଦଣ୍ଡ ବା କ୍ରାଇଟେରିଆ ରହିଛି। ସମ୍ପୂର୍ଣ୍ଣ ବିଧିର ଯେ ଉଲ୍ଲଂଘନ କରେ ତା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ। ଏ ଘଟଣାର ଆଉ ପୁନରାବୃତ୍ତି ନହେଉ। ହେଲିକପ୍ଟର କେଉଁଆଡେ କେଉଁଆଡେ ବୁଲିଛନ୍ତି ଏବଂ ଏ ବାବଦକୁ ରାଜ୍ୟ ରାଜକୋଷରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସସବୁର ତଦନ୍ତ ହେବ । ଯିଏ ଏ ଦୋଷ କରିଛି ତା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ଲୋକ ମଧ୍ୟ ଏହାକୁ ମଧ୍ୟ ଚାହିଁ ରହିଛନ୍ତି।

ଭିକେ ପାଣ୍ଡିଆନ ଯେତେବେଳେ ହେଲିକପ୍ଟରରେ ଗସ୍ତ କରୁଥିଲେ ସେ ବାବଦକୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲା । ହେଲିକପ୍ଟର ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୩ରୁ ୨୦୨୪ ଭିତରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିଲା। ଆଉ ଏବେ ଏହାର ତଦନ୍ତ ଆରମ୍ଭ ହୋଇଛି। ଫସିପାରନ୍ତି ଭିକେ ପାଣ୍ଡିଆନ।