ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିରଳ ରେକର୍ଡ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଚଳିତ ବର୍ଷ ଐତିହାସିକ ଲାଲକିଲ୍ଲାରୁ ସ୍ୱାଧିନତା ଦିବସ ପାଳନ ଅବସରରେ ଦୀର୍ଘ ୯୮ ମିନିଟ୍‌ ଧରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ୯୬ ମିନିଟ୍‌ ଧରି ଉଦ୍‌ବୋଧନ ଦେଇଥିଲେ । ୨୦୧୭ରେ ମୋଦିଜୀ ପ୍ରାୟ ୫୬ ମିନିଟ୍‌ ପାଇଁ ଉଦ୍‌ବୋଧନ ପ୍ରଦାନ କରିଥିଲେ । ଘଂଟା ଘଂଟା ଧରି ଭାଷଣ ଦେବାରେ ପ୍ରଧାନମନ୍ତ୍ରୀ ମୋଦି ଧୁରନ୍ଧର ।

ଇତିହାସ ଉପରେ ଦୃଷ୍ଟି ପକାଇଲେ ଜଣାପଡେ଼, ୧୯୪୭ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ୭୨ ମିନିଟ୍‌ ସମୟ ଉଦ୍‌ବୋଧନ ପ୍ରଦାନ କରିଥିଲେ । ୧୯୯୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲ ଲାଲକିଲ୍ଲାରୁ ୭୧ ମିନିଟ୍‌ର ଭାଷଣ ଦେଇଥିଲେ ।

ସବୁଠାରୁ କମ୍‌ ସମୟ ଧରି ଭାଷଣ ଦେବାରେ ଜବାହରଲାଲ ନେହୁରୁ ଓ ତାଙ୍କ ସୁପୁତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ରହିଛି । ୧୯୫୪ରେ ଜବାହରଲାଲ ଓ ୧୯୬୬ରେ ଇନ୍ଦିରାଜୀ ମାତ୍ର ୧୪ ମିନିଟ୍‌ ପାଇଁ ଉଦ୍‌ବୋଧନ ଦେଇଥିଲେ ।

କମ୍‌ ସମୟ ପାଇଁ ଅଭିଭାଷଣ ଦେବା ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ରହିଛି । ମନମୋହନ ସିଂହ ମହୋଦୟ ୨୦୧୨ରେ ୩୨ ମିନିଟ୍‌ ଓ ୨୦୧୩ରେ ୩୫ ମିନିଟ୍‌ ପାଇଁ ଅଭିଭାଷଣ ଦେଇଥିଲେ । ଅଟଳଜୀ ୨୦୦୨ରେ ୨୫ ମିନିଟ୍‌ ଓ ୨୦୦୩ରେ ୩୦ ମିନିଟ୍‌ ପାଇଁ ଅଭିଭାଷଣ ପ୍ରଦାନ କରିଥିଲେ ।