ଦଶହରାକୁ ହପ୍ତାଏ ପୁରିଲାଣି । ତଥାପି ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାକୁ ବିସର୍ଜନ କରାଯାଇନି । ଗ୍ରାମବାସୀମାନେ ମା’ଙ୍କ ବିସର୍ଜନ ପ୍ରତି ମନଧ୍ୟାନ ଦେଉନାହାନ୍ତି । କିଛି ଲୋକ ପୂଜା ମଣ୍ଡପର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି । ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ରାମଭାଗ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ମୁତାବକ, ଗ୍ରାମବାସୀମାନେ ନାରାୟଣ ରାଉତଙ୍କ ଜମି ନିକଟରେ ପୂଜା ମଣ୍ଡପଟିଏ ସ୍ଥାପନ କରି ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ରଖି ପୂଜାର୍ଚ୍ଚନା କରିଥିଲେ ।
ମା’ଙ୍କ ପୂଜାର୍ଚ୍ଚନା ସରିବା ପରେପରେ ନାରାୟଣ ପୂଜା ମଣ୍ଡପ ସାମ୍ନାରେ ବାଲି ଗଦା କରିଦେଲା । ଫଳରେ ପୂଜା ମଣ୍ଡପଟି ଏକ ପ୍ରକାର ବନ୍ଦ ହୋଇଗଲା । ମା’ ଦୁର୍ଗାଙ୍କ ବିସର୍ଜନ ହୋଇପାରିଲାନି । ଘଟଣାଟି ଏବେ ପୁଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ନାରାୟଣ ଓ ଗ୍ରାମବାସୀଙ୍କ ବିବାଦ କେତେବେଳେ କୋଉ ରୂପ ନେବ, ବୁଝିହେଉନି ।