‘ଆମ୍ବ ଟାକୁଆ’ ନେଲା ଦୁଇଟି ଜୀବନ

ଭୋକ ବିକଳରେ ଅବା ଖୁସିମନରେ ହେଉ, ଆମ୍ବ ଟାକୁଆ ଖାଇ ଜଣେ କିଶୋରୀ ଓ ଜଣେ  ମହିଳା ପ୍ରାଣ ହରାଇଛନ୍ତି । ୬ ଜଣ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ବ୍ଲକ ଅଂଚଳରେ ସରକାରଙ୍କ ପକ୍ଷରୁ ରାସନ୍‌ ସାମଗ୍ରୀ ଯୋଗାଣ ଚାଲିଛି । ତା’ ସତ୍ୱେ କିଛି ଜନଜାତି ପରିବାର ଆମ୍ବ ଟାକୁଆ ଓ ବାଉଁଶ ଫୁଲ ଖାଉଥିବା ବିଷୟ ଜିଲ୍ଲା ପ୍ରଶାସନ ଦୃଷ୍ଟିକୁ ଆସିଛି ।

ଆମ ନିକଟରେ ପହଂଚିଥିବା ଖବର ଅନୁସାରେ ଜଣେ କିଶୋରୀଙ୍କ ସମେତ କିଛି ମହିଳା ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ପ୍ରଥମେ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବାଟରେ କିଶୋରୀ ଜଣକ ପ୍ରାଣ ହରାଇଥିଲେ । ପରେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ମହିଳା ପ୍ରାଣ ହରାଇଛନ୍ତି ।