କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ମନରେଗା)କୁ ଆହୁରି ସୁଦୃଢ଼ କରିବା ପାଇଁ ଏକ “ବିଚାର ବିମର୍ଶ” ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ମନରେଗା କର୍ମୀ, ସାମାଜିକ ସଂଗଠନର ପ୍ରତିନିଧି ଓ ଅଧିକାରୀ, କମିଶନର ଓ ପ୍ରାୟ ୨୦ଟି ରାଜ୍ୟର ଅନ୍ୟ ଅଧିକାରୀ, ଜିଲ୍ଲା, ବ୍ଲକ ଓ ଗ୍ରାମ ପଞ୍ଚାୟତର ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ଏହି ଅଧିବେଶନରେ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶୱାନ ଓ ଡ ଚନ୍ଦ୍ରଶେଖର ପେମସାନି, ଗ୍ରାମ୍ୟ ଉନ୍ନୟନ ସଚିବ ଶୈଳେଶ କୁମାର ସିଂହ, ଅତିରିକ୍ତ ସଚିବ ଟି.କେ ଅନିଲ କୁମାର, ଯୁଗ୍ମ ସଚିବ ରୋହିଣୀ ଆର ଭଜିଭାକରେ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ନାଗରିକ ସମାଜ ସଂଗଠନର ଅନ୍ୟ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ।
ପ୍ରତିନିଧିମାନେ କେନ୍ଦ୍ର ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଶ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଯେ ମନରେଗା ଆମ ଭାଇ ଭଉଣୀମାନଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯୋଜନା; ଜୀବନଧାରଣର ମାନକୁ ଆହୁରି ଉନ୍ନତ କରିବା ପାଇଁ ସମ୍ପୃକ୍ତ ଲୋକଙ୍କ ସହ ଯୋଗାଯୋଗ କରି ପରାମର୍ଶ ନିଆଯାଉଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଲୋଚନା ଅଧିବେଶନରେ କହିଥିଲେ ଯେ ମନରେଗା କେବଳ ଏକ ଯୋଜନା ନୁହେଁ ବରଂ ଗ୍ରାମୀଣ ଭାରତର ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ସ୍ଥିରତା ଏବଂ ସଶକ୍ତୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପ ଦ୍ୱାରା ମନରେଗା ଗରିବଲୋକଙ୍କ ପାଇଁ ବରଦାନ ପାଲଟିଥିଲା । କାରଖାନା ବନ୍ଦ ଥିବାରୁ ମନରେଗା ଜରିଆରେ ଲକ୍ଷ ଲକ୍ଷ ଲୋକ ଜୀବିକା ପାଇଥିଲେ।
କେନ୍ଦ୍ର ସରକାର ମନରେଗାକୁ ବିପୁଳ ପରିମାଣର ଅର୍ଥ ଦିଅନ୍ତି, ଯାହାର ସଠିକ ଉପଯୋଗ ହେବା ଦରକାର। ଯେଉଁ ଉଦ୍ଦେଶ୍ୟ ରେ ଏହି ଯୋଜନା ପ୍ରସ୍ତୁତ ହୋଇଛି ତାହା ପୂରଣ ହେବା ଦରକାର । ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମେ କୌଣସି ଯୋଜନା କରିଥାଉ, ଆମେ କେବଳ ଅଧିକାରୀଙ୍କ ସହ ବସିନଥାଉ ବରଂ ଆମେ ସମ୍ପୃକ୍ତ ସମସ୍ତ ଲୋକଙ୍କ ସହ ଯୋଗାଯୋଗ କରି କାର୍ଯ୍ୟ କରିଥାଉ ଯାହାଦ୍ୱାରା ଏହା ଯଥାସମ୍ଭବ ଫଳପ୍ରଦ ହୋଇପାରିବ ।
ଏପରିକି ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଥିବା ବେଳେ କୃଷକ, ମହିଳା ଓ ଅନ୍ୟାନ୍ୟ ବର୍ଗଙ୍କ ସହ ଆଲୋଚନା କରି ପରାମର୍ଶ ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଭୂମିରେ କାର୍ଯ୍ୟ କରୁଥିବା ସଂପୃକ୍ତ ଲୋକଙ୍କ ସହ କଥାହୋଇ ପ୍ରଭାବଶାଳୀ ଯୋଜନା ପ୍ରସ୍ତୁତ କରାଯାଇପାରିବ । ସେମାନଙ୍କ ସହ ଆଲୋଚନା ନକଲେ ଆମେ ସଠିକ୍ ମତାମତ ପାଇପାରିବୁ ନାହିଁ। ଯେଉଁମାନେ କାର୍ଯ୍ୟ କରୁଛନ୍ତି ଏବଂ ତଦାରଖ କରୁଛନ୍ତି ସେମାନେ ଆମକୁ ଭଲ ଭାବରେ କହିପାରିବେ ଯେ ତୃଣମୂଳ ସ୍ତରରେ ସମସ୍ୟା କେଉଁଠାରେ ଅଛି ଏବଂ କ’ଣ ଭଲ ଭାବରେ କରାଯାଇପାରିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ମନରେଗା ଏକ ବଡ଼ ଯୋଜନା ଯାହା ହିତାଧିକାରୀଙ୍କୁ ଉପକୃତ କରିଥାଏ। ଟେକ୍ନୋଲୋଜି ମାଧ୍ୟମରେ ମଧ୍ୟ ଏହାର ଉନ୍ନତି ହୋଇଛି, ବହୁତ ଭଲ କାମ ହୋଇଛି, କିନ୍ତୁ ତଥାପି କିଛି ଅଭିଯୋଗ ଆସୁଛି, ଯାହାର ସମାଧାନ ହେବା ଆବଶ୍ୟକ । ଏହି ସୁଯୋଗ ଆମକୁ ଗ୍ରାମୀଣ ଭାରତର ବିକାଶ ପାଇଁ ଆମର ସଂକଳ୍ପକୁ ସୁଦୃଢ଼ କରିବାର ସୁଯୋଗ ଦେଇଛି ।
ଆମ ଗ୍ରାମୀଣ ଭାରତକୁ ସଶକ୍ତ କରିବା ଏବଂ ଏହି ଯୋଜନାରେ ଉନ୍ନତି ଆଣିବା ଦିଗରେ ଏହି ଆଲୋଚନା ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ । ଆଜିର ଆଲୋଚନା ଏହି ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ନୂତନ ପରାମର୍ଶ ଦେବା ଏବଂ ଦିଗ ନିର୍ଦ୍ଧାରଣ କରିବାର ଏକ ସୁଯୋଗ । ଏହି ଅଧିବେଶନରେ ଠିକ୍ ସମୟରେ ମଜୁରି ପ୍ରଦାନ, ବଟମ ଅପ୍ ପ୍ଲାନିଂ, ଯୋଜନା ଅଧୀନରେ ଅଧିକାର, ଟେକ୍ନୋଲୋଜିର ବ୍ୟବହାର, ଜବ୍ କାର୍ଡ ସମ୍ବନ୍ଧୀୟ ସମସ୍ୟା, କାର୍ଯ୍ୟର ଗୁଣବତ୍ତା ଓ ତଦାରଖ ତଥା ଅଭିଯୋଗ ସମାଧାନ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଅଧିବେଶନ ଶେଷ କରି ସମସ୍ତ ଅଂଶୀଦାରମାନଙ୍କୁ ସେମାନଙ୍କ ମୂଲ୍ୟବାନ ଅବଦାନ ପାଇଁ କୃତଜ୍ଞତା ଜଣାଇଥିଲେ। ଆଲୋଚନା ସମୟରେ ମିଳିଥିବା ପରାମର୍ଶ ମନରେଗାରେ ଆହୁରି ଉନ୍ନତି ଆଣିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗ୍ରାମୀଣ ଉନ୍ନୟନ ଯୋଜନାଗୁଡିକୁ ୨୦୪୭ ସୁଦ୍ଧା ଅର୍ଥାତ୍ ଅମୃତକାଳ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ସହିତ ଯୋଡ଼ିବା ପାଇଁ ମନ୍ତ୍ରଣାଳୟର ବୃହତ ପ୍ରୟାସର ଏକ ଅଂଶ ହେଉଛି ଏହି ବିଚାରବିମର୍ଶ ଅଧିବେଶନ ।
ଏହି ଅଧିବେଶନରେ ଉତ୍ତରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ଓଡ଼ିଶା, ହରିୟାଣା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, ମେଘାଳୟ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟର ଅଧିକାରୀ ଓ ପ୍ରତିନିଧିଙ୍କ ସମେତ ଶ୍ରମିକ, କୃଷକ ଏବଂ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଗ ଦେଇଥିଲେ।
ମନରେଗା କୋଟି କୋଟି ଶ୍ରମିକଙ୍କୁ ରୋଜଗାର ଯୋଗାଉଛି – ମନରେଗା ଜରିଆରେ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ଦେଶର ପ୍ରାୟ ୫ କୋଟି ପରିବାରର ୬.୭ କୋଟିରୁ ଅଧିକ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି । ମନରେଗା ନିଯୁକ୍ତିର ଅଧାରୁ ଅଧିକ ହିତାଧିକାରୀ ହେଉଛନ୍ତି ମହିଳା, ଯାହା କି ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମହିଳାଙ୍କ ସହିତ ମନରେଗା ସମାଜର ଅବହେଳିତ ବର୍ଗ ଯଥା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଉପକୃତ କରି ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛି, ଯାହା ଆମ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ – ମନରେଗା ଅଧୀନରେ କେବଳ ରୋଜଗାର ଯୋଗାଇ ଦିଆଯାଇନାହିଁ, ବରଂ ସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଇଛି । ଏହା ଅଧୀନରେ ଗରିବ ପରିବାର ଏବଂ ସମ୍ପ୍ରଦାୟମାନଙ୍କ ପାଇଁ ଭିତ୍ତିଭୂମି, ସାମାଜିକ ବିକାଶ ଏବଂ କୃଷି ପଦକ୍ଷେପ ସମ୍ବନ୍ଧୀୟ ବିଭିନ୍ନ ସ୍ଥାୟୀ ଏବଂ ଉତ୍ପାଦକ ସମ୍ପତ୍ତି ନିର୍ମାଣ କରାଯାଇଛି, ଯାହା ଦ୍ୱାରା ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ ଗ୍ରାମୀଣ ବିକାଶ ତ୍ୱରାନ୍ୱିତ ହୋଇଛି । ମନରେଗା ଅଧୀନରେ ୯.୩୯ କୋଟି ସମ୍ପତ୍ତି ନିର୍ମାଣ କରାଯାଇଛି ଏବଂ ଚଳିତ ବର୍ଷ ୬୩.୪ ଲକ୍ଷ ବିଭିନ୍ନ ସ୍ଥାୟୀ ଏବଂ ଉତ୍ପାଦନକ୍ଷମ ସମ୍ପତ୍ତି ନିର୍ମାଣ କରାଯାଇଛି।