ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମଦିନ ପାଖେଇ ଆସିଲାଣି । ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଓଡ଼ିଶାର କଟକ ସହରରେ ଜନ୍ମଗ୍ରହଣ କରିଥିଲେ ସୁଭାଷ । ତାଙ୍କ ବାପା ଜାନକୀନାଥ ବୋଷ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଥିଲେ । ପିଲାଟିଦିନରୁ ତାଙ୍କ ଭିତରେ ଦେଶପ୍ରେମ ମନୋଭାବର ପ୍ରମାଣ ଦେଖିବାକୁ ମିଳିଥିଲା । ନିଜର ପ୍ରତିଭା ବଳରେ ସୁଭାଷ ଆଇଏଏସ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ ମଧ୍ୟ ବ୍ରିଟିଶ ସରକାରଙ୍କ ଅଧିନରେ କାମ କରିବେନି ବୋଲି ଦୃଢ଼ ସଂକଳ୍ପ କରି ସେ ଦେଶର ସ୍ୱାଧିନତା ସଂଗ୍ରାମରେ ସକ୍ରିୟ ଭୂମିକା ଲିଭାଇଥିଲେ ।
ନେତାଜୀଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଚରିତ୍ର ଜଣେ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ । ଦେଶମାତୃକାର ସେବା କରିବା ବଦଳରେ କେବେ ପ୍ରତିଦାନ ଆଶା କରି ନଥିଲେ । ସେହିଭଳି କିଛି ଦେଶପ୍ରେମୀଙ୍କ ଭିତରେ ଅଛନ୍ତି ସରସ୍ୱତୀ ରାଜାମଣୀ ।
ସୁଭାଷଙ୍କ ବିଚକ୍ଷଣ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ସରସ୍ୱତୀ ଆଜାଦ ହିନ୍ଦ ଫୌଜରେ ଜଣେ ଗୁପ୍ତଚର ଭାବେ କାମ କରିବାକୁ ରାଜି ହୋଇଯାଇଥିଲେ । ମାତ୍ର ୧୬ ବର୍ଷ ବୟସରେ ସେନାବାହିନୀର ଗୁପ୍ତଚର ଭଳି ଗୁରୁଦାୟିତ୍ୱ ତୁଲାଇବାକୁ ଯାଇ ସରସ୍ୱତୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମରଣମୁହଁରୁ ବଂଚାଇଥିବା ଘଟଣା ଆମମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରେ ।
୧୯୨୭ ମସିହା ଜାନୁଆରୀ ୧୧ ତାରିଖରେ ଜନ୍ମିତ ସରସ୍ୱତୀଙ୍କ ବାପା ତକ୍ରାଳୀନ ବର୍ମା (ଏବେ ମ୍ୟାଂମାର) ରାଜଧାନୀ ରେଙ୍ଗୁନରେ ଜଣେ ଧନୀ ଭାରତୀୟ ଭାବେ ଜଣାଶୁଣା ଥିଲେ । ବର୍ମାର ଗୋଟିଏ ସୁନା ଖଣିକୁ ଲିଜ ସୂତ୍ରରେ ତାଙ୍କ ପରିବାର ଗ୍ରହଣ କରିଥିଲା ।
ଭାରତର ମୁକ୍ତି ଆନ୍ଦୋଳନରେ ସରସ୍ୱତୀଙ୍କ ପରିବାର ପରୋକ୍ଷ ଭାବେ ଜଡ଼ିତ ଥିଲା । ବର୍ମାର ଏକ ଜନସଭାରେ ନେତାଜୀଙ୍କ ଭାଷଣ ଶୁଣିବା ପରେ ୧୬ ବର୍ଷୀୟା ସରସ୍ୱତୀ ପିନ୍ଧିଥିବା ସୁନା ଗହଣାଗୁଡ଼ିକ ଇଣ୍ଡିଆନ୍ ନ୍ୟାସନାଲ ଆର୍ମିକୁ ଦାନ କରି ଦେଲେ । ଛୋଟପିଲାଟି ଭୁଲବଶତଃ ସୁନାଗହଣା ଦାନ କରି ଦେଇଥିବ ଭାବି ସୁଭାଷ ସେଗୁଡ଼ିକ ଫେରାଇବାକୁ ଯାଇଥିବା ସମୟରେ ସରସ୍ୱତୀ ନମ୍ରତାର ସହିତ ବୁଝାଇ ଦେଇଥିଲେ ଯେ ସେ କିଛି ଭୁଲ କରିନାହାନ୍ତି । ଭାରତର ମୁକ୍ତି ସଂଗ୍ରାମରେ ଅଗ୍ରଣୀ ଭୂମିକା ତୁଲାଉଥିବା ଆଜାଦ ହିନ୍ଦ ଫୌଜକୁ ଦାନ କରିଛନ୍ତି ।
କୁନିଝିଅଟିର କଥାରେ ପ୍ରଭାବିତ ହୋଇ ଯାଇଥିଲେ ସୁଭାଷ । ପରବର୍ତୀ କାଳରେ ସେଇ କୁନିଝିଅଟି ଆଜାଦ ହିନ୍ଦ ସେନାବାହିନୀର କନିଷ୍ଠତମ ମହିଳା ଗୁପ୍ତଚର ଭାବେ ପରିଚୟ ଲାଭ କରିଥିଲେ । ରାଣୀ ଝାନ୍ସୀ ରେଜିମେଂଟରେ ଯୋଗଦାନ କରିଥିଲେ । ରାଣୀ ଝାନ୍ସୀ ରେଜିମେଂଟର ଗୁପ୍ତଚର ୱିଙ୍ଗରେ ରହି ସେ ବୀରତ୍ୱର ପ୍ରମାଣ ଦେଖାଇଥିଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ବ୍ରିଟିଶ ସେନା ଛାଉଣୀରେ ପ୍ରବେଶ କରି ସେ ବହୁ ଗୁରୁତ୍ୱପୂର୍ଣ୍ଣ ଖବର ସଂଗ୍ରହ କରି ନେତାଜୀଙ୍କ ନିକଟକୁ ପଠାଉଥିଲେ ।
୧୯୪୩ରେ ସେ ଭାରତର ସୀମାନ୍ତ ବାଟ ଦେଇ କୋଲକାତାରେ ପହଂଚିଥିଲେ । ସେଠାରେ ବ୍ରିଟିଶ ଫୌଜର ଅଭେଦ୍ୟ ଦୁର୍ଗକୁ ସତର୍କତାର ସହିତ ଭେଦ କରି ନେତାଜୀଙ୍କୁ ମାରିବା ପାଇଁ ବ୍ରିଟିଶ ସରକାର ଯୋଜନା କରୁଥିବା ଜାଣି ପାରିଥିଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଏକ ଯୁଦ୍ଧ ବିମାନ ଦୁର୍ଘଟଣାର ଶିକାର ହୋଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରାଣ ହରାଇବା ଘଟଣା ସାମ୍ନାକୁ ଆସିବା ପରେ ଆଜାଦ ହିନ୍ଦ ଫୌଜ ଦୁର୍ବଳ ହୋଇଗଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ମାତ୍ରେ ରାଜାମଣୀଙ୍କ ପରିବାର ରେଙ୍ଗୁନସ୍ଥିତ ଘରବାଡ଼ି ଓ ସୁନା ଖଣି ବିକି ଦେଇ ଭାରତ ପଳାଇ ଆସିଲେ । ସରସ୍ୱତୀଙ୍କ ପରିବାର ଚେନ୍ନାଇରେ ରହୁଥିଲେ । ବାର୍ଦ୍ଧକ୍ୟ ବୟସରେ ଉପନୀତ ସରସ୍ୱତୀଙ୍କୁ ସ୍ୱାଧିନତା ସଂଗ୍ରାମୀ ପେନ୍ସନ୍ ଉପରେ ନିର୍ଭର କରିବାକୁ ପଡ଼ିଥିଲା ।
ଶେଷ ଜୀବନରେ ସେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଭେଟି ଆର୍ଥିକ ସହାୟତା ଲୋଡ଼ିଥିଲେ । ତାମିଲନାଡୁ ସରକାର ରାଜାମଣୀଙ୍କୁ ଗୋଟିଏ ଭଡ଼ାରହିତ ଆବାସ ଓ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ୨୦୧୮ ମସିହା ଜାନୁଆରୀ ୧୩ ତାରିଖରେ ହୃଦଘାତର ଶିକାର ହୋଇ ରାଜାମଣୀ ପ୍ରାଣ ହରାଇଥିଲେ । ରାଜମଣୀ ଇତିହାସକୁ ଚାଲିଗଲେ, ମାତ୍ର ତାଙ୍କର ବୀରତ୍ୱର କାହାଣୀ ଆଜିର ଯୁବସମାଜ ପାଇଁ ଏକ ପ୍ରେରଣାଦାୟକ ହୋଇ ରହିବ ।