ଛତିଶଗଡ଼ ଏନ୍‌କାଉଂଟର: ୧୫ ଦିନ ପୂର୍ବରୁ କସରତ୍‌

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗଡ଼ଚିରୋଲି ଅଂଚଳରେ ଶେଷ ହୋଇଥିବା ମାଓ ଅପରେସନ୍‌ରେ ସେଠାକାର ବାସିନ୍ଦା ଓ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ତାଲିମପ୍ରାପ୍ତ ପ୍ରାୟ ୫୦୦ କମାଣ୍ଡୋ ଛତିଶଗଡ଼ର ବସ୍ତର ଅନ୍ତର୍ଗତ ଘନ ଜଙ୍ଗଲ ଓ ଗଡ଼ଚିରୋଲି ଅଂଚଳରେ ଦୀର୍ଘ ସମୟ ଧରି ଅପରେସନ୍‌ କରି ସଫଳତାର ସହିତ ୩୧ ଜଣ ମାଓବାଦୀଙ୍କ ନିପାତ କରିଥିଲେ । ରବିବାର ସକାଳୁ ଆରମ୍ଭ ହୋଇଥିଲା ମାଓ ବିରୋଧୀ ଅପରେସନ୍‌ ।

ଅପରେସନରେ ସରକାରଙ୍କୁ ଦୁଇଜଣ ଯବାନଙ୍କୁ ହରାଇବାକୁ ପଡ଼ିଲା । ଅପରେସନ୍‌ରେ ସାମିଲ ସୁରକ୍ଷାବାହିନୀ ସାଙ୍ଗରେ ନିହତ ମାଓବାଦୀଙ୍କ ମୃତଦେହ ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଧରି ବିଜାପୁର ଘାଟିକୁ ଆଣିଥିଲେ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମାଓ ବିରୋଧୀ ଅପରେସନ୍‌ରେ ସୁରକ୍ଷାକର୍ମୀଙ୍କ ସଫଳତାକୁ ସାଧୁବାଦ ଜଣାଇଥିଲେ । ଦେଶରୁ ମାଓ ସଂଗଠନକୁ ମୂଳପୋଚ୍ଛ କରିବା ସରକାରଙ୍କର ପ୍ରଧାନ ଉଦ୍ଦେଶ୍ୟ । ମାଓ ସଂଗଠନକୁ ନିପାତ ନକଲେ ଦେଶରେ ବିକାଶ ଅସମ୍ଭବ ବୋଲି କ୍ଷମତାସୀନ ମେଂଟ ବିଚାର କରୁଛି ।