ମାତ୍ର ୬ ମାସ ତଳେ ଯୁବକ ଯୁବତୀମାନେ ଇନ୍ଫୋସିସ୍ରେ ଚାକିରି ପାଇ ଗର୍ବର ସହିତ ଛାତି ଫୁଲାଇ ବାଟ ଚାଲୁଥିଲେ । ଏବେ ସେମାନଙ୍କ ଆଖିରୁ ଲୁହ ଶୁଖୁନି । ଚାକିରି ହରାଇ କାନ୍ଦିବା ସାର ହୋଇଛି ।
ଏମିତି ଏକ ସଂକଟ ମୁଣ୍ଡ ଟେକିବାର ମାନେ କ’ଣ ହୋଇପାରେ? ଇନ୍ଫୋସିସ୍ ପରିଚାଳନାରେ ଗୁରୁତର ତ୍ରୁଟି ଉପୁଜିଛି ନା ଚାକିରି ଛଟେଇ ନାଟକ ଚାଲିଛି? ବୁଦ୍ଧିଜୀବୀଙ୍କ ଆଖିରେ ଅନେକ ପ୍ରଶ୍ନ । ୨୦୨୪ ସେପ୍ଟେମ୍ବରରେ ଚାକିରି ପାଇଥିବା ଯୁବକ ଯୁବତୀଙ୍କୁ ଇନ୍ଫୋସିସ୍ ଗେଟ ବାହାରକୁ ବଳପୂର୍ବକ ତଡ଼ି ଦିଆଯିବା ଘଟଣାକୁ ଅନେକ ନାପସନ୍ଦ କରିଛନ୍ତି ।
ଫେବୃଆରୀ ୭ ତାରିଖରେ ଚାକିରିରୁ ଛଟେଇ ହୋଇଥିବା ମଧ୍ୟପ୍ରଦେଶ ଯୁବତୀଙ୍କୁ ଇନ୍ଫୋସିସ୍ କ୍ୟାମ୍ପସରେ ରାତି କଟାଇବାର ସୁଯୋଗ ଦିଆଗଲାନି । ଯୁବତୀ ଜଣକ ନେହୁରା ହୋଇ ସୁରକ୍ଷାକର୍ମୀଙ୍କୁ କହିଥିଲେ କି ରାତିକ ଶୋଇ ସକାଳୁ ଷ୍ଟେସନ୍କୁ ଚାଲିଯିବ । ମାତ୍ର ସୁରକ୍ଷାକର୍ମୀ ତାଙ୍କର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ ।
ଏକମାତ୍ର ଜଣେ ଯୁବତୀ ନୁହନ୍ତି, ଶତାଧିକ ଯୁବକ ଯୁବତୀଙ୍କୁ ସମଦଶା ଭୋଗିବାକୁ ପଡ଼ିଥିଲା । ଇନ୍ଫୋସିସ୍ ବାହାରେ ରାସ୍ତା ଉପରେ ଚାଲି ଚାଲି ଯାଉଥିବା ଯୁବକ ଯୁବତୀଙ୍କ କାନ୍ଧରେ ଝୁଲିଥିବା କ୍ୟାରି ବ୍ୟାଗରେ ଥିଲା ସେମାନଙ୍କ ଲାପଟପ୍ ଓ କେତେ ହଳ ପୋଷାକ । କ୍ୟାମ୍ପସ୍ ପରିସରରେ ଥିବା କ୍ୱାର୍ଟରକୁ ଦଖଲ କରି ନେଇଥିଲେ ସୁରକ୍ଷାକର୍ମୀ ।
ସୁରକ୍ଷାକର୍ମୀଙ୍କୁ ସାହାଯ୍ୟ କରିବା ପାଇଁ କିଛି ବାଉନ୍ସରଙ୍କୁ ନିୟୋଜିତ କରିଥିଲା ଇନ୍ଫୋସିସ୍ ।
ସବୁଠାରୁ ଦୁଃଖର ବିଷୟ, ଗ୍ରାଜୁଏସନ୍ ପରେ ଇନ୍ଫୋସିସ୍ରେ ଚାକିରି କରିବା ପାଇଁ ଯୋଉ ଯୁବକ ଯୁବତୀମାନେ ପ୍ରାୟ ଅଢେ଼ଇ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ସେହିମାନଙ୍କୁ ମାତ୍ର ୬ ମାସ ଖଟାଇବା ପରେ ଚାକିରିରୁ ବାହାର କରି ଦିଆଯାଇଛି । ଛଟେଇର ଶିକାର ହୋଇଛନ୍ତି ପ୍ରାୟ ୭୦୦ ଜଣ ଯୁବକ ଯୁବତୀ ।