ବିକଶିତ ଭାରତରେ ମଣିଷ ବଳି: ଦିନକୁ ମରୁଛନ୍ତି ୪୬୨

ବାଟରେ ଚାଲୁ ଚାଲୁ କେବେ କେହି ଯଦି ମରେ ସଡ଼କ ଦୁର୍ଘଟଣାରେ, ତେବେ ଧରିନିଅ ତାକୁ ଭାରତର ବିକଶିତ ଚେହେରା । କହୁ କହୁ କିଛି ଭୁଲ ହେଇଗଲା କି? ଏକଦା ବିଜୁ ପଟ୍ଟନାୟକ କହିଥିଲେ, କିଛି ଗୋଟିଏ ପରିବର୍ତନ ଆଣିବାକୁ ହେଲେ ବହୁତ କିଛି ହରାଇବାକୁ ପଡ଼ିଥାଏ । ତା’ରି ଭିତରେ ମଣିଷ ମରିବା ପ୍ରତି ଆଦୌ ଚିନ୍ତା କରିବାର ନାହିଁ । ତା’ମାନେ କ’ଣ ଧରିନେବା ଯେ ଯୋଉ ଦେଶରେ ଯେତେ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ମରନ୍ତି, ସେହି ଦେଶର ଅର୍ଥନୀତି ସେତେ ସମୃଦ୍ଧ ଓ ଲୋକମାନେ ସେତିକି ଉପାର୍ଜନକ୍ଷମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ‘ସବ୍‌ କା ସାଥ୍‌’ ‘ସବ୍‌ କା ହାତ୍‌’ ‘ସବ୍‌ କା ବିକାଶ’ ‘ଦେଶ କା ବିକାଶ’ ଭଳି ଦମ୍‌ଦାର ନାରାବାଜି ଭିତରେ ମଣିଷଟା ଯେ କେତେବେଳେ କୋଉଠି ଶବ ପାଲଟିଯାଉଛି, ଶରୀର ଭିତରୁ ଆତ୍ମା ବାହାରି ଯାଉଛି, ତା’ର ଆଦି ଅନ୍ତ ଠାବ କରିବା କଷ୍ଟକର ।

ଉଦ୍‌ବେଗର ବିଷୟ ହେଉଛି, ବିକଶିତ ଭାରତରେ ସଡ଼କ ଦୁର୍ଘଟଣା ରୋକିବା ଆଉ ସରକାରଙ୍କ ହାତରେ ନାହିଁ । ସଡ଼କ ଦୁର୍ଘଟଣାରେ ଦିନକୁ ୪୬୨ ଜଣ ପ୍ରାଣ ହରାଉଛନ୍ତି । ଏଭଳି ତଥ୍ୟ ପରିବେଷଣ କରିଛି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ । ୨୦୨୨ ମସିହାରେ ସାରା ଦେଶରେ ଦୈନିକ ୧୨୪୬ ସଡ଼କ ଦୁର୍ଘଟଣା ଘଟୁଥିଲା । ୨୦୨୨ ମସିହାରେ ତାମିଲନାଡୁରେ ସର୍ବାଧିକ ୬୪,୧୦୫ ଥର ଦୁର୍ଘଟଣା ଘଟିଥିଲା । କିନ୍ତୁ ୟୁପିରେ ସର୍ବାଧିକ ୨୨, ୫୯୫ ଜଣ ଲୋକ ସଡ଼କ ଦୁର୍ଘଟଣାରେ ମରିଥିଲେ । ୨୦୨୨ରେ ସାରା ଦେଶରେ ୧ ଲକ୍ଷ ୬୮ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

୨୦୨୩ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦ୍ରୁତ ଗତି, ବେପରୁଆ ଗାଡ଼ି ଚାଳନା, ନିଶାସକ୍ତ ଡ୍ରାଇଭିଂ ଓ ଟ୍ରାଫିକ୍‌ ନିୟମ ପାଳନ ନକରିବା ଭଳି କାରଣଗୁଡ଼ିକୁ ଦୁର୍ଘଟଣା ପାଇଁ ଦାୟୀ କରାଯିବା ଏକ ଗତାନୁଗତିକ ପ୍ରକ୍ରିୟା । ସେହି ରିପୋର୍ଟ ଭିତରେ ବିକଶିତ ଭାରତର ରାସ୍ତାଘାଟ ନିର୍ମାଣ, ସେତୁ ଓ ଫ୍ଲାଏ ଓଭର, କଳ କାରଖାନା ବୃଦ୍ଧି, ବଜାର ବୃଦ୍ଧିକୁ ଦାୟୀ କରାଯିବା ଯଥାର୍ଥ ହେବନି କି? ପାଠକେ ବିଚାର କରନ୍ତୁ ।
ବିକାଶ ଯୋଉଠି ବିନାଶ ସେଇଠି, ଦେଶର ବିକାଶ ରାସ୍ତାରେ ମଣିଷକୁ ଶବରେ ରୂପାନ୍ତର କରିବା ଏକ ସ୍ୱାଭାବିକ ଧାରା ଧରିନେଲେ ସବୁ ରିପୋର୍ଟ ଦେହସୁହା ହୋଇଯିବ ।