ଲଖନଉ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା କ୍ରମେ ବଢ଼ିବାକୁ ଲାଗିଛି । ମହାଶିବରାତ୍ରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହାକୁମ୍ଭ ମେଳାରେ ବୁଡ଼ ପକାଇବା ପାଇଁ ଦେଶ ବିଦେଶର ବିଭିନ୍ନ ଭାଗରୁ ଶ୍ରଦ୍ଧାଳୁମାନେ ଆସୁଛନ୍ତି ।
ୟୁପି ପ୍ରଶାସନ ପକ୍ଷରୁ ଯାବତୀୟ ସୁବିଧା ଯୋଗାଇ ଦିଆଯାଉଛି । ମାତ୍ର ତାରି ଭିତରେ କିଛି ଦୁର୍ଘଟଣା ପରିସ୍ଥିତିକୁ ଗୋଳମାଳିଆ କରିଦେଉଛି ।
ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରସଙ୍ଗରେ ଉଭୟ ରେଳ ପ୍ରଶାସନ ଓ ୟୁପି ପ୍ରଶାସନ ସେତେଟା ଗୁରୁତ୍ୱ ଦେଉ ନଥିବା ପରିଲକ୍ଷିତ ହୋଇଛି । ଯୋଉ ରାଜ୍ୟଗୁଡ଼ିକ ଭିତର ଦେଇ ପ୍ରୟାଗରାଜକୁ ରେଳ ଓ ସଡ଼କ ପଥ ପଡ଼ିଛି । ସେହି ରାଜ୍ୟଗୁଡ଼ିକ ତୀର୍ଥଯାତ୍ରୀଙ୍କ ଧନଜୀବନ ସୁରକ୍ଷା ପ୍ରତି ଅଧିକ ପ୍ରଯତ୍ନଶୀଳ ରହିବା ଦରକାର ।
ସୂଚନା ମୁତାବକ ପ୍ରୟାଗରାଜ ଅଭିମୁଖେ ଯାଉଥିବା ସ୍ୱତନ୍ତ୍ରତା ସେନାନୀ ଏକ୍ସପ୍ରେସଟି ବିହାରସ୍ଥିତ ମଧୁବଣୀ ଷ୍ଟେସନରେ କିଛି ସମୟ ପାଇଁ ଅଟକିଥିଲା ।
ଷ୍ଟେସନରେ ଭିଡ଼ ଜମାଇଥିବା ମହାକୁମ୍ଭ ତୀର୍ଥଯାତ୍ରୀମାନେ ଗୋଟିଏ ସୁଅରେ ବଗି ଭିତରକୁ ଯିବାକୁ ଉଦ୍ୟମ କରିବାରୁ ଦଳାଚକଟା ପର୍ବ ଆରମ୍ଭ ହୋଇଗଲା । ବଗି ଭିତରୁ ପ୍ଲାଟଫର୍ମକୁ ଓହ୍ଲାଇବାର କୌଣସି ବାଟ ନପାଇ ଯାତ୍ରୀମାନେ ଏସି କୋଚ୍ଟିର ଝରକା ଭାଙ୍ଗି ଦେଇଥିଲେ । ଝରକା ବାଟ ଦେଇ କିଛି ଯାତ୍ରୀ ପ୍ଲାଟଫର୍ମକୁ ଓହ୍ଲାଇଥିବାର ଦୃଶ୍ୟ ଅନେକଙ୍କୁ ମର୍ମାହତ କରିଥିଲା ।
ମହାକୁମ୍ଭ ମେଳାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପ୍ରତି ଅଧିକ କ୍ରିୟାଶୀଳ ଭୂମିକା ଗ୍ରହଣ କରିବା ଉଚିତ ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ମତାମତ ପ୍ରଦାନ କରିଥିଲେ ।