ମହାକୁମ୍ଭ ମେଳା: କଢ଼ାଯାଉଛି ଦିନକୁ ୧୫ ଟନ୍‌ ଅଳିଆ

ପ୍ର୍ରୟାଗରାଜ: କେବଳ ଗାଧୁଆ ପାଧୁଆ ସାରିଦେଲେ କାମ ଫତେ । ମହାକୁମ୍ଭ ମେଳାରେ ବୁଡ଼ ପକାଇବାକୁ ଯାଇ ନଦୀରେ ଲୁଗାପଟା ଭସାଇଦେବା, ଶ୍ରାଦ୍ଧ ଓ ପୂଜାର୍ଚ୍ଚନା ସାମଗ୍ରୀ ବିସର୍ଜନ କାରଣରୁ ପବିତ୍ର ନଦୀଜଳ ପ୍ରଦୂଷିତ ହେଉଛି ।

ଗଙ୍ଗା ଓ ଯମୁନାକୁ ସଫେଇ କରିବା ପାଇଁ ୟୁପି ପ୍ରଶାସନ ପକ୍ଷରୁ ଅତ୍ୟାଧୁନିକ ସ୍କିମର ନିୟୋଜିତ କରାଯାଇଛି ।
ନଦୀଜଳର ଉପରି ଭାଗରୁ ଭାସମାନ ଅଳିଆ କଢ଼ା ନଗଲେ, ତୀର୍ଥଯାତ୍ରୀମାନେ ବୁଡ଼ ପକାଇବାକୁ ଅସନ୍ତୁଷ୍ଟ ହୋଇ ପାରନ୍ତି । ଡଙ୍ଗାରେ ସ୍କିମର ଲଗାଇ ଦିନକୁ ପ୍ରାୟ ୧୫ ଟନ୍‌ ଅଳିଆ କଢ଼ାଯାଉଛି ।

ଗୋଟିଏ ଗୋଟିଏ ସ୍କିମର ଦିନକୁ ସର୍ବାଧିକ ୬୦ କ୍ୱିଂଟାଲ ଅଳିଆ ସଫା କରୁଥିବା ଜଣାଯାଏ । ମହାକୁମ୍ଭକୁ ଦୃଷ୍ଟିରେ ରଖି ପ୍ରୟାଗରାଜ ମୁନିସିପାଲ କର୍ପୋରେସନ୍‌ ସ୍କିମର କିଣିଥିଲା ।
ଗୋଟିଏ ସ୍କିମର ନିକଟରେ ୪ କିମି ବ୍ୟାପୀ ନଦୀତଟକୁ ସଫା କରିବାର କ୍ଷମତା ରହିଛି । ମୁନିସିପାଲ କର୍ପୋରେସନ୍‌ରେ କାର୍ଯ୍ୟରତ ଜନୈକ ସରକାରୀ ଅଧିକାରୀ କହିଛନ୍ତି, ଯେତେ ବୁଝାଇଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ମନକୁ ବଦଳାଇ ହେଉନି । ସେମାନେ ନଦୀରେ ଲୁଗାପଟା, ଫୁଲମାଳ, ଖାଲି ଘିଅଡବା, କଦଳୀ ପତ୍ର, ଧୂପକାଠି ଖୋଳ, ସିନ୍ଦୁର ଡବା ବିସର୍ଜନ କରୁଛନ୍ତି ଯାହାକୁ ସଫା କରିବା ଜରୁରୀ ।