ସ୍ୱାସ୍ଥ୍ୟ: ବିଳମ୍ବରେ ଶେଯକୁ ଯାଉଛନ୍ତି କି? ଭୋଗିବେ!
ରାତି ରାତି ଅନିଦ୍ରା ରହୁଛନ୍ତି? ଶେଯରେ କଡ଼ ଲେଉଟାଇ ପଡ଼ିଛନ୍ତି । ବିଳମ୍ବିତ ରାତିରେ ଶୋଇବାକୁ ଯାଉଛନ୍ତି । ସକାଳୁ ଉଠିଲା ବେଳକୁ ଦିନ ଘଡ଼ିଏ । ଏମିତି ଅଭ୍ୟାସ ଆଦୌ ଭଲ ନୁହେଁ । କଥାରେ ଅଛି, ରାତିରେ ସଅଳ ଶେଯକୁ ଯିବା ଓ ପ୍ରତ୍ୟୁଷରୁ ନିଦରୁ ଉଠିବା ଫଳରେ ଦେହମନ ସତେଜ ଓ ସୁସ୍ଥ ରହେ । କାମ କରିବାକୁ ଆଗ୍ରହ ଆସେ ।
କ୍ରମାଗତ ୮ ବର୍ଷ ଧରି ଏଭଳି ଅଭ୍ୟାସ ଜାରି ରଖିଥିବା ପୁରୁଷ ଓ ମହିଳାଙ୍କୁ ଭୟଙ୍କର ମାନସିକ ରୋଗ ମାଡ଼ି ବସିବାର ଆଶଙ୍କା ରହିଛି ।
ଗତାନୁଗତିକ ଧାରାକୁ ବଦଳାଇବା ବୁଦ୍ଧିମାନର କାମ ହେବ । ରାତିରେ ଅନିଦ୍ରା ରହୁଥିବା ଲୋକଙ୍କୁ ‘ନାଇଟ୍ ଓଲ୍’ ଅଭିହିତ କରାଯାଏ । ଏ ପ୍ରକାର ଅଭ୍ୟାସ ରଖିଥିବା ଲୋକଙ୍କୁ କ୍ରୋନୋଟାଇପ୍ ରୋଗ ସଂକ୍ରମଣ କରିଥାଏ ।
ବ୍ରିଟେନର ସ୍ୱାସ୍ଥ୍ୟ ଗବେଷକମାନେ ପ୍ରାୟ ୮୦ ହଜାର ଲୋକଙ୍କୁ ସର୍ବେକ୍ଷଣ କରି ଏକ ରିପୋର୍ଟ ତିଆରି କରିଛନ୍ତି । ଉକ୍ତ ରିପୋର୍ଟ ମୁତାବକ ବିଳମ୍ବିତ ରାତିରେ ଶେଯକୁ ଯାଉଥିବା ଲୋକଙ୍କ ମନକୁ ନାନା ଦୁଃଶ୍ଚିନ୍ତା ଘାରିବାର ଆଶଙ୍କା ରହିଛି ।
ଗବେଷକମାନେ ଦିନରେ ନିଦ୍ରାଗତ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ଓ ଦିନ ଘଡ଼ିକରେ ଉଠୁଥିବା ଲୋକଙ୍କୁ ସର୍ବେକ୍ଷଣରେ ସାମିଲ କରିଥିଲେ । ସମସ୍ତଙ୍କ ଶରୀର ଓ ମନ ଉପରେ କିଛି ନା କିଛି ଖରାପ ପ୍ରଭାବ ପଡୁଥିବାର ଦେଖିବାକୁ ମିଳିଥିଲା ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହୁଥିବା ଲୋକମାନଙ୍କ ନିକଟରେ କାମ କରିବାର ଏକାଗ୍ରତା କମିଯାଏ ।
ଶାରୀରିକ ସ୍ତରରେ ମଜଭୁତ ଦିଶୁଥିବା ଲୋକମାନେ ମାନସିକ ଅବସାଦର ଶିକାର ହୋଇ ଚିଡ଼ିଚିଡ଼ା ସ୍ୱଭାବର ହୋଇଯାନ୍ତି, କାମରେ ଶୀଘ୍ର ନିଷ୍ପତି ନେଇପାରନ୍ତିନି ।
ରାତିରେ ଅନିଦ୍ରା ରହୁଥିବା ଲୋକଙ୍କ ମନରେ ସାଧାରଣତଃ ଆତ୍ମହତ୍ୟା ପ୍ରବଣ, ନିଶା ସେବନ ପ୍ରତି ଆକୃଷ୍ଟ, ପେଟଭରି ଖାଇବାର ଲାଳସା ଦେଖାଯାଏ ଯାହା କ୍ରମେ ଭୟଙ୍କର ବେମାର ଆଡ଼କୁ ଟାଣି ନେଇଥାଏ । କିଛି ଲୋକ ମାନସିକ ସନ୍ତୁଳନ ହରାଇ ପାଗଳ ହୋଇଯାନ୍ତି । ତେଣୁ ଠିକ୍ ସମୟରେ ଶେଯକୁ ଯାଆନ୍ତୁ, ଠିକ୍ ସମୟରେ ଶେଯରୁ ଉଠନ୍ତୁ ।