ସ୍ବୟଂ ସହାୟକ ଗୋଷ୍ଠୀର ଆର୍ଥିକ ଅଭିବୃଦ୍ଧି ପାଇଁ କାର୍ଯ୍ୟକାରୀ ହେଲା ‘ଲକ୍ଷପତି ଦିଦି ସହାୟିକା’ ଯୋଜନା

ଭୁବନେଶ୍ବର: ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କର ଆର୍ଥିକ ଅଭିବୃଦ୍ଧି କରାଇବା ଲକ୍ଷ୍ୟ ନେଇ “ଲକ୍ଷପତି ଦିଦି ଯୋଜନା” କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାରେ  ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କାର ରୋଜଗାରକ୍ଷମ କରାଇବା ପାଇଁ ସହ  ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ “ଲକ୍ଷପତି ଦିଦି” ସୃଷ୍ଟି କରିବାପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଏହି ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ ଏବଂ ଏଥିପାଇଁ GPLF ମାନଙ୍କୁ ଅନୁଦାନ ପ୍ରଦାନ କରିବେ । ଏହି ନିଷ୍ପତ୍ତି ଦ୍ବାରା ୬୨ ହଜାରରୁ ଉର୍ଦ୍ଧ କମ୍ୟୁନିଟି ସପୋର୍ଟ ଷ୍ଟାଫ ଲାଭବାନ ହେବେ ଏବଂ ସେମାନେ ଏପ୍ରିଲ ୨୦୨୪ ଠାରୁ ପିଛିଲା ଭାବେ ତାଙ୍କର ପାରିଶ୍ରମିକ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ  ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡ଼ିଶା ଜୀବିକା ମିଶନ ୨୦୧୨ ମସିହା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନଜୀବିକାରେ ଉନ୍ନତି ନିମନ୍ତେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଛି । ପୁନର୍ବାର ଏହି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କୁ ଗ୍ରାମ ଓ ପଞ୍ଚାୟତସ୍ତରରେ ସଂଗଠିତ କରାଯାଉଅଛି । ଏହି ସ୍ବୟଂ ସହାୟକ ଗୋଷ୍ଠୀ (SHG), ଆଞ୍ଚଳିକ ମଞ୍ଚ (CLF) ଏବଂ ଗ୍ରାମ ପଞ୍ଚାୟତ ସଂଘ (GPLF)ଗୁଡ଼ିକୁ ସୁଦୃଢ଼ ଓ ସଶକୁ କରିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କୁ ଗ୍ରାମ ପଞ୍ଚାୟତସ୍ୱରୀୟ ସଂଘ ଦ୍ବାରା ନିଯୁକ୍ତି ଦିଆଯାଇଥିଲା। ରାଜ୍ୟରେ ମୋଟ ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନିଯୁକ୍ତ କରାଯାଇଛି ।