ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଚତୁର୍ଦ୍ଧା ମୂର୍ତ୍ତି-shaksi news


ପୁରୀ( ଏସ୍ ନ୍ୟୁଜ ): ବହୁ ପ୍ରତିକ୍ଷିତ ତଥା ଦୁର୍ଲଭ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ନୀତିକାନ୍ତି ସମ୍ପର୍ଣ୍ଣ ହୋଇଛି। ଦୀର୍ଘ ଅଢେଇ ଘଣ୍ଟା ପରେ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ । ସକାଳ ୭ଟାରୁ ଆରମ୍ଭ ହୋଇ ସକାଳ ସାଢ଼େ ୯ଟାରେ ପ୍ରଭୁଙ୍କ ଏହି ବେଶ ଶେଷ ହୋଇଥିବା ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ସୂଚନାମୁତାବିକ ବିଳମ୍ବରେ ଆରମ୍ଭ ହୋଇଥିଲା ବେଶନୀତି । ଭୋର ୪ଟା ୪୫ ମିନିଟରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲେ ହେଁ, ନାଗାର୍ଜୁନ ବେଶ ସକାଳ ୭ଟାରେ ଆରମ୍ଭ ହୋଇଥିଲା । ଭଣ୍ଡାର ମେକାପ, ଖୁଣ୍ଟିଆ ସେବାୟତ ଓ ସିଂହାରୀ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶରେ ବିଳମ୍ବ ହୋଇଥିଲା। ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ସେବାୟତ ମନ୍ଦିରରେ ପ୍ରବେଶ କରିବାରୁ ତିନି ସେବାୟତଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ତେବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା ।

ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବୀର ବା ଯୋଦ୍ଧା ବେଶରେ ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଥିଲେ। ଦୁଇ ଠାକୁରଙ୍କ ମସ୍ତକରେ ହାଣ୍ଡିଆ ଶୋଭା ପାଉଥିବା ବେଳେ ଉଭୟ ଢେଣୁ, ଶିଙ୍ଗା, ତୂଣୀର, ବାଘନଖ ଓ ଖଣ୍ଡା ଆଦି ଆୟୁଧ ଧାରଣ କରିଥିଲେ।ଦୀର୍ଘ ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ମହାପ୍ରଭୁ ସଜ୍ଜିତ ହୋଇଥିବା ବେଳେ କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

କେବେ ଓ କେମିତି ହୁଅ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ-:
ଦୁର୍ଲ୍ଲଭ ମହାପ୍ରଭୁଙ୍କ ଏହି ନାଗାର୍ଜୁନ ବେଶ ଏକ ସାମୟିକ ଓ ସାମରିକ ବେଶ। ଶ୍ରୀଜଗନ୍ନାଥ ଓ ବଳଭଦ୍ର ନାଗା ବେଶରେ ଶୃଙ୍ଗାର ହୋଇଥାନ୍ତି । କାର୍ତ୍ତିକ ମାସ ପଞ୍ଚୁକର ମଳ ତିଥିରେ ହିଁ ହୁଏ ନାଗାର୍ଜୁନ ବେଶ । ପଞ୍ଚୁକ ୬ ଦିନ ପଡୁଥିବା ବର୍ଷରେ ହୁଏ ନାଗାର୍ଜୁନ ବେଶ। ଚଳିତ ବର୍ଷ ମଧ୍ୟ ପଞ୍ଚୁକ ୬ ଦିନ ପଡ଼ୁଥିବାରୁ ମହାପ୍ରଭୁ ଏହି ଦୁର୍ଲଭ ବେଶରେ ଶୋଭାପାଇଛନ୍ତି ।

ନାଗାର୍ଜୁନ ବେଶ ଇତିହାସ ମୁତାବିକ , ଶେଷ ଥର ୧୯୯୩ ଓ ୧୯୯୪ ମସିହାରେ ପଡ଼ିଥିଲା ନାଗାର୍ଜୁନ ବେଶ । ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ୨୦୨୦ରେ ପୁଣି ପଡ଼ିଛି ଏହି ମନୋହର ବେଶ । ନାଗାର୍ଜୁନ ବେଶରେ ଠାକୁରଙ୍କୁ ଲାଗିହୁଏ ସ୍ୱତନ୍ତ୍ର ସାମଗ୍ରୀ । ସ୍ୱତନ୍ତ୍ର ଅଳଙ୍କାର ସହ ଅସ୍ତ୍ରରେ ବି ସଜ୍ଜିତ କରାଯାଏ । ଶ୍ରୀଭୁଜ, ଶ୍ରୀପୟର, ନାକୁଆସି, କର୍ଣ୍ଣ କୁଣ୍ଡଳ, ଓଳମାଳ, ବାଘନଖି ମାଳି, ହରିଡ଼ା ମାଳି, ପଦ୍ମ ମାଳି, ଘାଗଡ଼ା ମାଳି ଲାଗି ହୁଏ । ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ମୁହଁରେ ନିଶ ଓ ଦାଢ଼ି କରାଯାଏ । ବାଘଛାଲ ସମ ବସ୍ତ୍ର ପରିଧାନ କରନ୍ତି ଦୁଇ ଠାକୁର । ସେହିପରି ସୋଲ, କନା, ଜରି ଓ ବେତରେ ତିଆରି ହୋଇଥାଏ ଅସ୍ତ୍ର ।

ଏହି ବେଶ ତିଆରି କରିଥାନ୍ତି ଭିତର ସେବାୟତ ଭିତରଛ, ତଳୁଛ ମହାପାତ୍ର ପୁଷ୍ପାଳକ କରନ୍ତି । ବେଶ କରିଥାନ୍ତି ସିଂହାରୀ, ଖୁଣ୍ଟିଆ ଓ ମେକାପ ବି ଏଥିରେ ସହଯୋଗ କରନ୍ତି । ଚକ୍ରକୋଟ ଖୁଣ୍ଟିଆ ଯୋଗାନ୍ତି ବେଶ ସାମଗ୍ରୀ ।