ଋଣ କରି ଘିଅ ପିଇବ, ପିଆଇବ ବିଜେପି, ଶୁଝିବେ ସାଢେ଼ ଚାରିକୋଟି ଜନତା

ବିଜେଡି ଭଳି ବିଜେପି ରାଜ୍ୟବାସୀଙ୍କ ମୁଣ୍ଡରେ ଋଣ ବୋଝ ଲଦି ବିକାଶର ଭେଳିକି ସୃଷ୍ଟି କରିବାକୁ ଯାଉଛି । କଂଗ୍ରେସ, ବିଜେପି ଓ ବିଜେଡି, ତିନୋଟି ଯାକ ଦଳ ଭିତରୁ କେହି ରାଜ୍ୟର ସ୍ୱାର୍ଥ ପ୍ରତି ସମର୍ପିତ ନୁହନ୍ତି । ଅଭାବୀ ମଣିଷଙ୍କ ଆଖିରେ ସପନ ବୁଣି ସେମାନଙ୍କ ପାଇଁ ଢୋକେ ପିଇ ଦଣ୍ଡେ ଜିଇଁବାର ବ୍ୟବସ୍ଥା ଛଡ଼ା ଆଉ କିଛି କରିବା ସ୍ଥିତିରେ ନାହିଁ ବିଜେପି । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ବିଜେପି ସରକାର ଖୋଲା ବଜାରରୁ ପ୍ରାୟ ୪୮ ହଜାର କୋଟି ଟଙ୍କା ଋଣ ସଂଗ୍ରହ କରି ସେହିଥିରେ ରାଜ୍ୟରେ ବିକାଶ ତଳି ପକାଇବେ ।

ଓଡ଼ିଶାକୁ ଭାରତର ଏକ ନମ୍ବର ବିକଶିତ ରାଜ୍ୟ ଭାବେ ପରିଣତ କରିବା ପାଇଁ ମୋହନ ମାଝି ସରକାର ପ୍ରତିଶ୍ରୁତିବଦ୍ଧ, ମାତ୍ର ସବୁ ବିଲେଇ ଯଦି ମହାକୁମ୍ଭ ମେଳାକୁ ଯିବେ, ତେବେ ଗାଁ ଚୁଆରେ ବୁଡ଼ ପକାଇବ କିଏ? କହିବାର ଅର୍ଥ ହେଲା, ଦେଶରେ ବିଜେପି ମେଂଟ ଶାସନାଧିନ ରାଜ୍ୟଗୁଡ଼ିକ ଭିତରୁ ସବୁତକ ଯଦି ଦେଶର ଏକ ନମ୍ବର ହୋଇଯିବେ, ତେବେ ଦୁଇ ନମ୍ବର ଓ ତିନି ନମ୍ବରରେ କୋଉମାନେ ରହିବେ ।
ବିଜେଡି ବିଧାୟକ କଳିକେଶ ସିଂହଦେଓଙ୍କ ସୂଚନାନୁସାରେ ୨୦୨୫-୨୬ ବଜେଟରେ କୃଷକ ଓ ମହିଳାଙ୍କୁ ସଶକ୍ତ କରିବାର ଆଗ୍ରହ ମୋହନ ସରକାରଙ୍କ ମନରେ ନାହିଁ । ଓଡ଼ିଶା ଶାସନ କରିବା ପାଇଁ ବିଜେପିକୁ ଖୋଲା ବଜାରରୁ ଋଣ କରିବାକୁ ପଡୁଛି ଯାହାର ଚୋଟ ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କ ଉପରେ ବାଜିବ । ଡବଲ ଇଂଜିନ ସରକାରଙ୍କ କେନ୍ଦ୍ର ଓ ରାଜ୍ୟ ଛାଟ ଅଲଗା ଅଲଗା ଭାବେ ରାଜ୍ୟବାସୀଙ୍କ ପିଠିରେ ବାଜିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦୦ ଲକ୍ଷ କୋଟି ଟଙ୍କାର ଛାଟ ଓ ମୁଖ୍ୟମନ୍ତ୍ରୀ ମାଝିଙ୍କର ୪ ଲକ୍ଷ କୋଟିର ଛାଟକୁ ରାଜ୍ୟବାସୀ ସମ୍ଭାଳିବାର ତାକତ୍‌ ରଖିଛନ୍ତି ତ?
ବିଜେଡି ନେତା କଳିକେଶଙ୍କ ମନରେ ବିଜେପି ସରକାର ଓଡ଼ିଶାକୁ ନିଲାମ କରିବା ମତଲବରେ ଅଛି । ବିଜେଡି ୨୪ ବର୍ଷ ଭିତରେ ଓଡ଼ିଶାକୁ ଯେତିକି ଖୋଳ କଲା, ବିଜେପି ୫ ବର୍ଷ ଭିତରେ ସେତିକି ଖୋଳ କରିବାକୁ ବସିଛି ।

ନରେନ୍ଦ୍ର ମୋଦିଜୀଙ୍କ ସାହସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ଅର୍ଥନୀତିକୁ ୨୦୩୬ ସୁଦ୍ଧା ୫୦୦ ବିଲିଅନ୍‌ ଡଲାର କରିବାକୁ ଅଂଟା ଭିଡ଼ିଛନ୍ତି । ଏବେ ରାଜ୍ୟର ଆର୍ଥିକ ସ୍ଥିତି ୧୧୩ ବିଲିଅନ୍‌ ଡଲାର ଅଛି । ୧୦ ବର୍ଷ ଭିତରେ ୫୦୦ ବିଲିଅନ୍‌ ଡଲାର କରିବା ସହଜ ନୁହେଁ । କଳିକେଶଙ୍କର ସିନା ଆଖି ପାଉନି, କିନ୍ତୁ ଆମେ ଜାଣିଛୁ, ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପକ୍ଷେ ସବୁ ସମ୍ଭବ? ବାଘ ଛେଳିକୁ ଗୋଟିଏ ତୁଠରେ ପାଣି ପିଆଇବା ନେତା ହେଉଛନ୍ତି ଲୋକପ୍ରିୟ ମୋଦିଜୀ । ଶହେ ମୂଷା ଖାଇ ପ୍ରୟାଗରାଜରେ ଗୋଟିଏ ବୁଡ଼ ପକାଇଦେଲେ ସବୁ ସାଫ୍‌ ।
୯ ମାସର ବିଜେପି ସରକାର ୭୮ ହଜାର କୋଟି ଟଙ୍କା କରଜ କଲେଣି । ୫ ବର୍ଷ କାଳ କ୍ଷମତାରେ ରହିବା ଭିତରେ ବିଜେପି ସରକାର କେତେ ଋଣ କରିଥିବ, ତାହା ଆକଳନ କରିବା ବଦଳରେ କଳିକେଶଙ୍କ ବିଜେପିର ଆକାଶଚୁମ୍ବୀ ସପନକୁ ଗଣି ଚାଲିଥିଲେ ।
ତା’ରି ଭିତରେ ବିଧାୟକ ଗୌତମ ବୁଦ୍ଧ ଦାସ ପାଟି ଫିଟେଇଲେ । ରାଜ୍ୟର ଆର୍ଥିକ ସ୍ଥିତି ଟଳମଳ ଅବସ୍ଥାରେ ଥିଲାବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଲେ । ବିଜେଡି ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରି ବିଜେପି ହାତକୁ ଟେକିଦେଲା । କେନ୍ଦ୍ରରେ ବିଜେପି ମେଂଟ ସରକାର ଶାସନ କରୁଥିଲା ବେଳେ ରାଜ୍ୟ ବିଜେପି ସରକାର କାହିଁକି ଖୋଲା ବଜାରରୁ ଋଣ ଉଠାଉଛି ପ୍ରଶ୍ନ ପଚାରିବା ଭିତରେ ରାଜ୍ୟର ବିଜେପି ସରକାର ଶତକଡ଼ା ୧୪ ଟଙ୍କା ସୁଧ ହାରରେ ୫ ବର୍ଷ ଭିତରେ ରାଜ୍ୟବାସୀଙ୍କ ମୁଣ୍ଡରେ ୪ ଲକ୍ଷ କୋଟି ଟଙ୍କାର ଋଣ ଲଦିବା ଚକ୍କରରେ ଅଛନ୍ତି ବୋଲି ଜଣାଇଦେଲେ ।
ବିଜେଡି ବିଧାୟକଙ୍କ କଥାଗୁଡ଼ିକ ସତ ହୋଇଥିଲେ, ମୋହନ-ମୋଦି ଡବଲ ଇଂଜିନ ସରକାରଙ୍କ ‘ଋଣ କରି ଘିଅ ପିଇବା ନିଶା’ ରାଜ୍ୟର ୪ କୋଟି ଖଟିଖିଆ ମଜଦୁରଙ୍କ ପାଇଁ କାଳ ହେବ ।

ମୋହନ ସରକାରକୁ ସୁବିଧାଜନକ ସ୍ଥିତିରେ ରଖିବା ପାଇଁ ବିଧାନସଭାରେ ବିଜେପି ବିଧାୟକମାନେ ବିଜେଡି ସରକାରଙ୍କ ନାନା କେଳେଙ୍କାରୀକୁ ଢାଲ କରିଥିଲେ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ବିଜେଡିର ୫ଟି ବ୍ୟବସ୍ଥାକୁ ଆକ୍ଷେପ କରି ଜଣେ ଅଣଓଡ଼ିଆ ଆଇଏଏସ୍‌ ଅଫିସରଙ୍କ ହାତରେ ସାଢେ଼ ଚାରିକୋଟି ଜନତାଙ୍କ ଭାଗ୍ୟଡୋରିକୁ ଧରାଇ ଦେଇଥିବା କଥା କହିଥିଲେ । ବିଜେଡି ଅମଳରେ ମହିଳା ସଶକ୍ତକରଣ, କୃଷକ ସଶକ୍ତକରଣ, ବିଜୁ ଯୁବବାହିନୀ ଭେଳିକି, ନଗଡ଼ା ଅପପୁଷ୍ଟି ଭଳି କଳଙ୍କିତ ଅଧ୍ୟାୟକୁ ଖୋଲିଥିଲା ବିଜେପି ।
ସାଧାରଣ ଖଟିଖିଆ ମୁଣ୍ଡରେ ଏତେ କଥା ପଶିପାରିବନି । କିନ୍ତୁ ଚାଲାକ ଓଡ଼ିଆ ଶଠ ବିଜେପିର ଅସଲ ଉଦ୍ଦେଶ୍ୟ ବୁଝିପାରିବ । ଏ ମୋହନ ସରକାର କାହାର ନୁହେଁ, ବେଲ ଖାଇ କାଉ ମୁଣ୍ଡରେ ଅଠା ବୋଳିବା ଦଳ ତାଲିକା ଭିତରେ ବିଜେପି, ବିଜେଡି ଓ କଂଗ୍ରେସ ଅଛନ୍ତି । ଜନତାଙ୍କ ରକ୍ତମାଂସ ହାଡ଼ ଝୁଣିବା ଗୁଣଟି ସବୁ ଦଳ ପାଖରେ ଅଛି ।