Maha Shivaratri 2025: ଉପାସ ଭିତରେ ଶ୍ରେଷ୍ଠ: ଜାଗର ଉପବାସ

Maha Shivaratri 2025: ଦେବ ଦେବ ମହାଦେବ । ସେ ହିଁ ଯୁଗପୁରୁଷ । ସୃଷ୍ଟିର ଆରମ୍ଭ ତାଙ୍କରି ନିକଟରୁ, ସେ ସୃଷ୍ଟିର ସଂହାରକର୍ତା । ସଜୀବ, ନିର୍ଜୀବ, ସବୁରି ଭିତରେ ମହାଦେବଙ୍କ ଅବସ୍ଥାନ । ତାଙ୍କରି ନିର୍ଦ୍ଦେଶରେ ଜୀବ ଜନ୍ମ ନିଏ, ତାଙ୍କରି ନିର୍ଦ୍ଦେଶ ପାଳନ କରି ଇହଧାମରୁ ବିଦାୟ ନିଏ । ଜୀବର ଧର୍ମ, ଅର୍ଥ, କାମ ଓ ମୋକ୍ଷ ଅନ୍ତର୍ଭୁକ୍ତ କରିବା ମହାଦେବଙ୍କର ପ୍ରଧାନ କର୍ତବ୍ୟ । ତାଙ୍କରି ଉଦ୍ଦେଶ୍ୟରେ ପାଳନ କରାଯାଏ ମହା ଶିବରାତ୍ରୀ ବା ଜାଗର ଯାତ ।

ହିନ୍ଦୁମାନଙ୍କ ଦ୍ୱାରା ପାଳିତ ଓଷା ବ୍ରତ ଉପାସ ପୂଜାର୍ଚ୍ଚନା ଭିତରେ ମହା ଶିବରାତ୍ରୀ ବ୍ରତକୁ ସର୍ବୋଚ୍ଚ ସ୍ଥାନ ମିଳିଛି । ସାରା ରାତି ଉଜାଗର ରହି ପ୍ରଭୁ ସଦାଶିବଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିବା ଦ୍ୱାରା ମଣିଷର ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି ଏକ ବିଶ୍ୱାସ ରହିଛି । ଅଜ୍ଞାନ ଉପରେ ଜ୍ଞାନର ବିଜୟ । ଅନ୍ଧକାର ଉପରେ ଆଲୋକର ବିଜୟ ହେଉଛି ଜାଗର ଯାତ । ଚଳିତ ବର୍ଷ ଫେବୃଆରୀ ୨୬ ତାରିଖ ବୁଧବାର ଦିନ ମହା ଶିବରାତ୍ରୀ ପାଳନ କରାଯିବ । ଶ୍ରଦ୍ଧାଳୁମାନେ ସେଦିନ ପ୍ରତ୍ୟୁଷରୁ ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ନିଷ୍ଠାର ସହ ଆରାଧନା କରନ୍ତି ।

ବ୍ରତଧାରୀମାନେ ମନ୍ତ୍ର, ଶ୍ଲୋକ, ଭଜନ ଗାୟନ ଶ୍ରବଣ କରନ୍ତି । ବିଶ୍ୱାସ ରହିଛି, ବର୍ଷ ସାରା ଶିବ ମନ୍ଦିରକୁ ଯାଇ ମହାଦେବଙ୍କ ଦର୍ଶନ, ପୂଜାର୍ଚ୍ଚନା କରିବା ଫଳରେ ଯେତିକି ପୂଣ୍ୟ ମିଳିଥାଏ, କେବଳ ମହା ଶିବରାତ୍ରୀ ଦିନ ଉପାସ ରହି ପବିତ୍ର ମନରେ ମହାଦେବଙ୍କ ପୂଜାର୍ଚ୍ଚନା କଲେ, ସେତିକି ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ ।

ସବୁ ପାପରୁ ମୁକ୍ତ କରିବାର କ୍ଷମତା ଏକା ମହାଦେବଙ୍କ ନିକଟରେ ରହିଛି । ବ୍ରହ୍ମା, ବିଷ୍ଣୁ ତାଙ୍କର ନିର୍ଦ୍ଦେଶକୁ ପାଳନ କରନ୍ତି । ଚନ୍ଦ୍ର ସୂର୍ଯ୍ୟ ନକ୍ଷତ୍ରମଣ୍ଡଳ ତାଙ୍କରି ନିର୍ଦ୍ଦେଶରେ ଚଳମାନ । ଜୀବକୁ ଜମିବାଡ଼ି, ଘରଦ୍ୱାର, ଗାଡ଼ିମୋଟର, ରାଜସୁଖ, ରାଜପଦ, ପୁତ୍ରକନ୍ୟା ଓ ପତ୍ନୀଙ୍କ ସୁଖ, ସାମାଜିକ ପ୍ରତିଷ୍ଠା ପ୍ରଦାନ କରିବାର କ୍ଷମତା ଦେବ ଦେବ ମହାଦେବଙ୍କ ନିକଟରେ ରହିଛି । ପୂର୍ବଜନ୍ମ କୃତ କର୍ମ ଅନୁସାରେ ଜୀବକୁ ଏ ଜନ୍ମରେ ସୁଖ ଓ ଦୁଃଖ ଭୋଗିବାକୁ ପଡ଼ିଥାଏ ।