ମହା ଶିବରାତ୍ରୀ: ଜାଣନ୍ତୁ, ଶିବଲିଙ୍ଗ କହିଲେ କାହାକୁ ବୁଝାଏ?

ଜ୍ୟୋତିର୍ଲିଙ୍ଗ ବା ଶିବଲିଙ୍ଗ ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ବୁଝାଇଥାଏ । ଶିବଲିଙ୍ଗ ଉତ୍ପତି ସଂପର୍କରେ ନାନା କଥା ଶୁଣିବାକୁ ମିଳେ । ‘ଶିବ’ ଅର୍ଥ କଲ୍ୟାଣକାରୀ ଓ ‘ଲିଙ୍ଗ’ ଅର୍ଥ ସୃଷ୍ଟି । ଦୁଇଟି ଶବ୍ଦକୁ ମିଶାଇ ‘ଶିବଲିଙ୍ଗ’ ଶବ୍ଦ ଗଠିତ । ସାଧୁଙ୍କ ମତରେ ମନ, ଚିତ, ବ୍ରହ୍ମା, ମାୟା, ଜୀବ, ବୁଦ୍ଧି, ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀର ମିଳିତ ସ୍ୱରୂପ ହେଉଛି ଶିବଲିଙ୍ଗ ।

ଶିବପୁରାଣ କଥାନୁସାରେ ସୃଷ୍ଟି ସର୍ଜନା ପରେ ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କ ମଧ୍ୟରେ କିଏ ମହା ଶକ୍ତିଶାଳୀ, ତାକୁ କେନ୍ଦ୍ର କରି ବିବାଦ ଉପୁଜିଲା । ଦୁହେଁ ବିବାଦରେ ମାତି ଥିଲାବେଳେ ଗୋଟିଏ ରହସ୍ୟମୟ ପଥରଟିଏ ପ୍ରକଟ ହେଲା । ଆକାଶରୁ ଶୂନ୍ୟବାଣୀ ହେଲା, ଯିଏ ପଥରଟିର ମୂଳ ଓ ଚୂଳ ଠାବ କରିପାରିବ, ସେ ମହା ଶକ୍ତିଶାଳୀ ଭାବେ ପ୍ରମାଣିତ ହେବ ।

ବିଷ୍ଣୁ ତଳକୁ ଓ ବ୍ରହ୍ମା ଉପରକୁ ଖେଦିଗଲେ । କିନ୍ତୁ କେହି ପଥରଟିର ଆଦି ଓ ଅନ୍ତ ଠଉରାଇ ପାରିଲେନି । ବିଷ୍ଣୁ ପରାଜୟ ସ୍ୱୀକାର କଲେ । ମାତ୍ର ବ୍ରହ୍ମା ପଥରଟିର ଚୂଳ ପାଇଯାଇଛି କହିଲେ । ତତ୍‌କ୍ଷଣାତ୍‌ ଶୂନ୍ୟମଣ୍ଡଳରୁ ଆଉ ଗୋଟିଏ ବାଣୀ ଶୁଭିଲା, ‘ମୁଁ ଶିବଲିଙ୍ଗ । ମୋର ମୂଳ ନାହିଁ କି ଚୂଳ ନାହିଁ ।’ ସାଙ୍ଗେ ସାଙ୍ଗେ ଭଗବାନ ଶିବ ପ୍ରକଟ ହେଲେ । ବିଶ୍ୱ ବ୍ରହ୍ମାଣ୍ଡରେ ଏକମାତ୍ର ଶକ୍ତିଶାଳୀ ହେଉଛନ୍ତି ଶିବଲିଙ୍ଗ ଯାହା ଶିବଙ୍କର ପ୍ରତୀକ । ଏଥିରୁ ଆମକୁ ନୀତିଶିକ୍ଷା ମିଳୁଛି ଯେ ସତ୍ୟର ସର୍ବଦା ବିଜୟ ହୋଇଥାଏ ।