ରୁଷିଆ ସହିତ ଦୀର୍ଘ ୩ ବର୍ଷ ଧରି ମୁକାବିଲା କରିବା ପରେ ମଙ୍ଗଳବାର ଶାନ୍ତି ସ୍ଥାପନ ପାଇଁ ରାଜି ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନ୍ସ୍କି । ୟୁକ୍ରେନ ଜନତାଙ୍କୁ ଅଭିଭାଷଣ ଦେବା ଅବସରରେ ସେ ୟୁକ୍ରେନର ସ୍ୱାଭିମାନ ପାଇଁ ବଳିଦାନ କରିଥିବା ବୀର ଯବାନଙ୍କ ପରିବାର ପ୍ରତି ଅନ୍ତିମ ଅଭିବାଦନ ଜଣାଇଛନ୍ତି । ୟୁକ୍ରେନର ଭାଗ୍ୟରେଖା ଟାଣିବା ପାଇଁ ବିଶ୍ୱର ୧୩ ଜଣ ବଡ଼ ବଡ଼ ନେତା ଏବେ କିଭ୍ରେ ପହଂଚିଛନ୍ତି ।
ସେହି ନେତାମାନଙ୍କ ସହିତ ଅନ୍ଲାଇନ୍ ଆଲୋଚନାରେ ଭାଗ ନେଇ ଜେଲେନ୍ସ୍କି ଏକମାତ୍ର ସର୍ତ ବାଢ଼ିଛନ୍ତି ।ଜେଲେନ୍ସ୍କି କହିଛନ୍ତି, ୟୁକ୍ରେନ ରାଷ୍ଟ୍ରପତି ପଦରେ ରହିବା ପାଇଁ ତାଙ୍କ ମନରେ ଆଉ ସରାଗ ନାହିଁ । ଗତ ୩ ବର୍ଷ ଭିତରେ ବହୁ ତିକ୍ତ ଅଭିଜ୍ଞତା ସେ ହାସଲ କରିଛନ୍ତି । ରୁଷିଆ ଜେଲରେ ଯୁଦ୍ଧବନ୍ଦୀ ଭାବେ ଦିନ କାଟୁଥିବା ପ୍ରତି ୟୁକ୍ରେନ ଯବାନଙ୍କ ମୁକ୍ତି କାମନା କରିଛନ୍ତି ଜେଲେନ୍ସ୍କି । ପ୍ରତି ବଦଳରେ ୟୁକ୍ରେନ ଜେଲରେ ଦିନ ଗଣୁଥିବା ସବୁ ଯୁଦ୍ଧବନ୍ଦୀଙ୍କୁ ବିନା ସର୍ତରେ ମୁକ୍ତ କରିବାକୁ ରାଜି ହୋଇଛି ୟୁକ୍ରେନ । ଇତିମଧ୍ୟରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲଭରୋଭ ଅଭିଯୋଗ କରିଛନ୍ତି ଯେ ଯୁକ୍ତରାଷ୍ଟ୍ର ଆମେରିକା ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚଳାଇ ଥିଲାବେଳେ ୟୁରୋପର କିଛି ଦେଶ ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ।