ଦେଶର ଲୋକସଂଖ୍ୟା ପ୍ରାୟ ୧୪୦ କୋଟି । ତା’ର ୯୦% କହିଲେ, ମୋଟାମୋଟି ୧୨୬ କୋଟି ହେବ । ଓଡ଼ିଶାର ପୁରୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । କହିଛନ୍ତି, ଦେଶରେ ୯୦% ଲୋକ ଆୟୁଷ୍ମାନ ଭାରତ ସେବା ପାଉଛନ୍ତି । ଆୟୁଷ୍ମାନ ଭାରତକୁ କାର୍ଯ୍ୟକାରୀ କରାଯିବା ପରଠାରୁ ଓଡ଼ିଶାରେ ଶିଶୁ ଓ ମାତୃ ମୃତ୍ୟୁ ହାର ରହସ୍ୟଜନକ ଭାବେ କମିଯାଇଛି । ସତେ ଯେମିତି ନବୀନଙ୍କ ଅମଳରେ ରୋଗଗୁଡ଼ାକ ଲୋକଙ୍କ ପିଛା ଛାଡୁ ନଥିଲେ । ମୋହନଙ୍କ ଅମଳରେ ରୋଗଗୁଡ଼ାକ ମୋଦିଜୀଙ୍କ ନାଁ ଶୁଣିବା ମାତ୍ରେ ଜୀବନ ବିକଳରେ ଅଣବିଜେପି ରାଜ୍ୟକୁ ପଳାୟନ କରୁଛନ୍ତି ।
କେନ୍ଦ୍ର ଓ ରାଜ୍ୟର ବିଜେପି ନେତାମାନେ ଡାହା ମିଛ କହିବାରେ ଧୁରନ୍ଧର । ଫମ୍ପା ମାଠିଆର ଶବଦ ବେଶି । ରାଜ୍ୟରେ ବିଜେପି ସରକାରଙ୍କ କାର୍ଯ୍ୟକାଳ ମାତ୍ର ୧୦ ମାସ । ମାତ୍ର ୧୦ ମାସର ବିଜେପି ଶାସନ ଭିତରେ ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର କମିଗଲା? କେତେ ପରିମାଣର କମିଗଲା? ତା’ର ସଠିକ୍ ଜବାବ ଦିଅନ୍ତୁ ନଡ୍ଡା । ରାଜ୍ୟର ମହିଳାଙ୍କୁ ୫୦ ହଜାର ଟଙ୍କାର ଲୋଭ ଦେଖାଇ ନିର୍ବାଚନରେ ଜିତିଗଲା । ଜିତିବା ପରେ ବିଜେପିର ଭାଷା ବଦଳିଗଲା । ଯୋଗ୍ୟ ଅଯୋଗ୍ୟ ମାପକାଠିରେ ସବୁ ମହିଳା ଭୋଟରଙ୍କୁ ମାପି ଦିଆଗଲା, ପେଟ ପାଇଁ ମୁଣ୍ଡଝାଳ ତୁଣ୍ଡରେ ମାରୁଥିବା ମହିଳାମାନେ କାମଧନ୍ଦା ଛାଡ଼ି ବ୍ୟାଙ୍କ ଆଗରେ, ଜନସେବା କେନ୍ଦ୍ର ଆଗରେ, ଆଧାର କେନ୍ଦ୍ର ଆଗରେ ଠିଆ ହୋଇପାରିଲେନି, ଅତଏବ ସେମାନଙ୍କୁ ସୁଭଦ୍ରା ହିତାଧିକାରୀ ତାଲିକାରୁ ବାଦ ଦିଆଗଲା ।
ମା’ ବାପା, ସ୍ୱାମୀ, ପୁଅଙ୍କ ରୋଜଗାର ଖାଉଥିବା ମହିଳାଙ୍କ ନିକଟରେ ଯଥେଷ୍ଟ ସମୟ ଥିଲା ଆଧାର କେନ୍ଦ୍ର, ଜନସେବା କେନ୍ଦ୍ର ଓ ବ୍ୟାଙ୍କ ଆଗରେ ଠିଆ ହେବା ପାଇଁ । ଅତଏବ ସେଇମାନଙ୍କୁ ଯୋଗ୍ୟ ମହିଳା ଭାବେ ବିବେଚନା କରାଗଲା, ସୁଭଦ୍ରା ଟଙ୍କା ଧରାଇ ଦିଆଗଲା । ଠକିଖିଆ ଓ ଥିଲାବାଲା ମହିଳାଙ୍କୁ ଯୋଗ୍ୟ ହିତାଧିକାରୀ ଭାବେ ତାଲିକାଭୁକ୍ତ କରି ଖଟିଖିଆ ଓ ଅଭାବୀ ମହିଳାଙ୍କୁ ଅଯୋଗ୍ୟ ହିତାଧିକାରୀ ମଣିବା ବିଜେପି ଓ ବିଜେଡି ସରକାରଙ୍କ ଅଭ୍ୟାସଗତ କାମ । ସେଥିରୁ ନଡ୍ଡା ବାଦ୍ ପଡ଼ିବେ କେମିତି? ୧୦ ମାସ ତଳେ ରାଜ୍ୟରେ ଶିଶୁ ଓ ମାତୃହାର କେତେ ଥିଲା, ତାହା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମାଲୁମ୍ ନଥିବ । ନଡ୍ଡା କ’ଣ କହିବେ? ୨୦୧୭ ମସିହାରୁ ଦେଶରେ ନୂତନ ସ୍ୱାସ୍ଥ୍ୟ ନୀତି କାର୍ଯ୍ୟକାରୀ କରାଯାଇଛି ।
ସେହି ନୀତି ଅନୁସାରେ ବହୁ ଜଟିଳ ରୋଗ ନିରୂପଣ ଓ ନିଦାନ ବ୍ୟବସ୍ଥା କରାଯାଇଛି । ଦେଶର କୌଣସି ରୋଗୀଙ୍କୁ ବିନା ଚିକିତ୍ସାରେ ମରିବାକୁ ଦିଆଯିବନି ଯାହାର ପ୍ରକୃତ ଅର୍ଥ ହେଲା ରୋଗୀଙ୍କ ମାମୁଲି ରୋଗକୁ ଜଟିଳ କହି ଡାକ୍ତରଙ୍କ ସୁପାରିଶ ମୁତାବକ ଉପଚାର କରି ସେମାନଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କାର ସେବାଜନିତ ବୋଝ ଲଦି ଦିଆଯିବା । ବିଜେପି ସରକାର ବେପାରୀଙ୍କ ସରକାର । ସେମାନଙ୍କ ନିକଟରୁ ମାଗଣା ସେବା ଆଶା କରିବା ବୃଥା । ଭୋକ ଓ ଅଭାବ, ଏ ଦୁଇଟି ସାମାଜିକ ବ୍ୟାଧିକୁ ଯେତେ ଦିନ ବଂଚାଇ ରଖା ଯାଇପାରିବ, ଗରିବ ଜନତାଙ୍କୁ ସେତେ ଦିନ ପର୍ଯ୍ୟନ୍ତ ଗୋଲାମ କରି ରଖିବା ସମ୍ଭବ ।