ଲଖନଉ : ଓଡ଼ିଶା ଅଭିମୁଖେ ଗତି କରୁଥିବା ନନ୍ଦନ କାନନ ଏକ୍ସପ୍ରେସ ଦୀନ ଦୟାଲ ଷ୍ଟେସନ୍ ଛାଡ଼ିବା ପୂର୍ବରୁ ଦୁଇଖଣ୍ଡ ହୋଇଗଲା । ସେଭଳି ଦୃଶ୍ୟ ଦେଖି ଟ୍ରେନ୍ ଭିତର ଯାତ୍ରୀ ଓ ଷ୍ଟେସନ ପ୍ଲାଟଫର୍ମରେ ଠିଆ ହୋଇଥିବା ଯାତ୍ରୀଙ୍କ ଭିତରେ ଭାଳେଣୀ ପଡ଼ି ଯାଇଥିଲା । ପରିସ୍ଥିତି ଗୁରୁତର ଆଡକୁ ଗତି କରିବା ପୂର୍ବରୁ ଷ୍ଟେସନ୍ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଓ ତାଙ୍କର ଅଧସ୍ତନ କର୍ମଚାରୀମାନେ ସମ୍ଭାଳି ନେଇଥିଲେ ।
ସୂଚନା ମୁତାବକ, ଯାତ୍ରୀବାହୀ ଟ୍ରେନଟି ଦିଲ୍ଲୀର ଆନନ୍ଦ ବିହାରରୁ ପୁରି ଅଭିମୁଖେ ଯାତ୍ରା କରୁଥିଲା । ୟୁପିର ଦୀନ ଦୟାଲ ଷ୍ଟେସନରେ ଗାଡ଼ିଟି କିଛି କ୍ଷଣ ପାଇଁ ଅଟକି ରହିଥିଲା । ଟ୍ରେନଟି ଯାତ୍ରା ଆରମ୍ଭ କରିବା ମାତ୍ରେ ଇଞ୍ଜିନ ସହିତ ଲାଗି ରହିଥିବା କିଛି ବଗି ଖଣ୍ଡେ ବାଟ ଆଗେଇ ଯାଇଥିଲା । ତେବେ ପଛଆଡୁ କିଛି ବଗି ଠିଆ ହୋଇ ରହିଥିଲା ।
ଯାତ୍ରୀମାନେ ହୋ ହଲ୍ଲା କରିବାରୁ ଷ୍ଟେସନ୍ ପରିଚାଳନା ମଣ୍ଡଳୀ ଘଟଣା ସଂପର୍କରେ ଅବଗତ ହୋଇଥିଲେ । ବୈଷୟିକ କର୍ମଚାରୀଙ୍କୁ ଡକା ପକାଇ ଅଲଗା ହୋଇ ଯାଇଥିବା ବଗିଗୁଡ଼ିକୁ ପୁଣି ଇଞ୍ଜିନ ସହିତ ସଂଯୁକ୍ତ କରିଥିଲେ ।