‘ଖେଳାଳିଙ୍କୁ ଅପମାନିତ କରିବା ପାକିସ୍ତାନୀ ପରମ୍ପରା’

‘ପଡ଼ିଆକୁ ଖାପ୍‌ ଖାଉନାହାନ୍ତି ରୋହିତ, ଖେଳିବା ଛାଡ଼ି ଦିଅନ୍ତୁ’, କଂଗ୍ରେସ ମୁଖପାତ୍ର ଶାମା ମହମେଦଙ୍କ ଏପରି କଟାକ୍ଷକୁ ହଜମ କରିପାରିଲେନି ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ବାପା ଯୁଗରାଜ ସିଂ । ଶାମାଙ୍କ ପ୍ରତି ଯୁଗରାଜ ପାଲଟା ଜବାବ ହେଉଛି, ‘ନିଜ ଖେଳାଳିଙ୍କୁ ଏପରି ସମାଲୋଚନା କରିବା ପାକିସ୍ତାନରେ ସମ୍ଭବ । ଭାରତରେ ନୁହେଁ, ମୁଁ ପ୍ରଧାନମନ୍ତ୍ରୀ ହୋଇଥିଲେ, ଶାମାଙ୍କୁ ପାକିସ୍ତାନ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥାନ୍ତି ।

କଂଗ୍ରେସ ମୁଖିଆ ଶାମାଙ୍କୁ ପାକିସ୍ତାନ ଚାଲିଯିବା ପାଇଁ ଆଦେଶ ଦେବା ଉଚିତ । ଯୁଗରାଜ ପୁଣି କହିଛନ୍ତି ଯେ ଜଣେ ରାଜନେତା କୌଣସି ଖେଳାଳିଙ୍କ ପ୍ରତି ଏପରି କଟାକ୍ଷ କରିବା ଶୋଭା ପାଏନା । ଯୋଉମାନେ ମଇଦାନରେ ଖେଳୁଛନ୍ତି, ସେମାନଙ୍କ କାମରେ ଅନ୍ୟମାନେ ମୁଣ୍ଡ ପୁରାଇବା ଅନୁଚିତ ।  ମୁଁ ମୋ ଜୀବନ ତୁଳନାରେ କ୍ରିକେଟ୍‌କୁ ବେଶି ଭଲ ପାଏ । ଖେଳାଳିଙ୍କୁ କେହି ଅପମାନିତ କଲେ ମୁଁ ଆଦୌ ବରଦାସ୍ତ କରିପାରେନା । ସୂଚନାଯୋଗ୍ୟ, ପାକିସ୍ତାନ ବୋଲର ୱାସିମ୍‌ ଆକ୍ରାମଙ୍କ ବୋଲିଂ ବିପର୍ଯ୍ୟୟକୁ ଜଣେ ପାକ୍‌ ପ୍ରଶଂସକ ସହି ପାରିଲେନି, ଗାଳିଗୁଲଜ କରିଥିଲେ ।