ବ୍ରିଟେନ୍‌ରେ କେନ୍ଦ୍ରମନ୍ତ୍ରୀ ଜୟଶଙ୍କରଙ୍କ ରାସ୍ତା ଓଗାଳିଲା ଖଲିସ୍ତାନୀ

ଲଣ୍ଡନ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏବେ ବ୍ରିଟେନ୍‌ ଗସ୍ତରେ ଅଛନ୍ତି । ବ୍ରିଟେନରେ ମୁଣ୍ଡ ଟେକିଥିବା ଖଲିସ୍ତାନୀ ଆନ୍ଦୋଳନକୁ କିପରି ଦମନ କରାଯାଇପାରିବ, ସେ ସଂପର୍କରେ ବ୍ରିଟେନ୍‌ ସରକାରଙ୍କ ସହ ଜୟଶଙ୍କର ଆଲୋଚନା କରିବାର ଅଛି ।

ଗୁରୁବାର ଦିନ ଜୟଶଙ୍କରଙ୍କ ଗାଡ଼ିଟି ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଦୂତାବାସ ଅଭିମୁଖେ ଯାଉଥିବା ସମୟରେ ଜଣେ ଖଲିସ୍ତାନୀ ଯୁବକ ତାଙ୍କ ଗାଡ଼ି ଆଗକୁ ମାଡ଼ି ଆସିଲା ଓ ଭାରତର ଜାତୀୟ ପତାକାକୁ ଚିରି ପକାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବ୍ରିଟିଶ ପୁଲିସଙ୍କ ଉପସ୍ଥିତିରେ ଏସବୁ କାଣ୍ଡ ଚାଲିଥିଲା । ମନ୍ତ୍ରୀ ଜୟଶଙ୍କର ବ୍ରିଟେନର ଚାଥାମ ହାଉସ୍‌ରେ ପହଂଚିବା ପୂର୍ବରୁ ଖଲିସ୍ତାନୀ ଆତଙ୍କୀମାନେ ସେଠାରେ ପହଂଚି ଭାରତ ବିରୋଧୀ ନାରାବାଜି କରିଥିଲେ ।

ଜୟଶଙ୍କର ସେଠାରେ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ସେହି ସମୟ ଭିତରେ ଜୟଶଙ୍କରଙ୍କୁ ବ୍ରିଟେନ୍‌ ବୈଦେଶିକ ସଚିବ ଡେଭିଡ୍‌ ଲାମ୍ମିଙ୍କ ସହିତ ସାକ୍ଷାତ କରିବେ ଓ ବିଶ୍ୱ ଆର୍ଥିକ ସମସ୍ୟା ଓ ତା’ର ନିରାକରଣ ସଂପର୍କରେ ଆଲୋଚନା କରିବେ । ବିଶ୍ୱ ଆର୍ଥିକ ସଂକଟକୁ ମିଳିତ ଭାବେ ମୁକାବିଲା କରିବା ପାଇଁ ଉଭୟ ଦେଶ ଚୂଡ଼ାନ୍ତ ରଣନୀତି ତିଆରି କରିବାର ଅଛି । ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରତିରକ୍ଷା କ୍ଷେତ୍ରରେ ବ୍ରିଟେନ୍‌-ଭାରତ ଏକ ହୋଇ କାମ କରିବେ । ଜୟଶଙ୍କରଙ୍କ ବ୍ରିଟେନ୍‌ ଗସ୍ତ ଭାରତ ପାଇଁ ଲାଭଦାୟକ ରହିବା ଆଶା କରାଯାଉଛି ।