ପ୍ରୟାଗରାଜ: ନିକଟରେ ଶେଷ ହୋଇଛି ତ୍ରିବେଣୀ ସଂଗମରେ ଆୟୋଜିତ ମହାକୁମ୍ଭ ମେଳା । ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ମିଳନ ସ୍ଥଳରେ ବୁଡ଼ ପକାଇଲେ, ଲୋକଙ୍କ ପାପମୋଚନ ହୁଏ, ଅଭାବ କଷଣ ଦୂର ହୁଏ, ଦୁର୍ଭାଗ୍ୟ ଦୂର ହୋଇଯାଏ, ଏଭଳି ନାନା କଥା ଆମ କାନରେ ପଡେ଼ । କିନ୍ତୁ ଆମେ ଆପଣଙ୍କୁ ଆଖିଦେଖା କଥା କହୁଛୁ । ନାଁ ତାଙ୍କର ପିଂଟୁ ମାହାରା । ସମ୍ବଳ କହିଲେ କାଠର ଡଙ୍ଗାଟିଏ ।
ସେହି ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ବସାଇ ତୁଣ୍ଡରେ ‘ହର୍ ହର୍ ଗଙ୍ଗେ’ ଉଚ୍ଚାରଣ କରି ସେମାନଙ୍କୁ ମନଲାଖି ସେବା ଯୋଗାଇବା ପିଂଟୁଙ୍କ ପାରମ୍ପରିକ ବେଉସା । ୧୫୦ ବର୍ଷ ବ୍ୟବଧାନରେ ଅମୃତଯୋଗ ବିଶିଷ୍ଟ ମହାକୁମ୍ଭ ମେଳା ଆରମ୍ଭ ହେବା ଦିନଠାରୁ ପିଂଟୁଙ୍କ ଉପରେ ଭାଗ୍ୟଦେବୀ ଶୁଭଦୃଷ୍ଟି ପକାଇଲେ । ମାତ୍ର ୪୫ ଦିନର ମହାକୁମ୍ଭ ମେଳାରୁ ପିଂଟୁ ପ୍ରାୟ ୩୦ କୋଟି ଟଙ୍କା ରୋଜଗାର କରି ପାରିଛନ୍ତି ।
ଚଳିତ ମହାକୁମ୍ଭ ମେଳାରେ ଅଧା ଭାରତ ବୁଡ଼ ପକାଇଛନ୍ତି, ସେମାନଙ୍କ ଭିତରୁ କିଏ କେତେ ଧର୍ମ, କେତେ ଅର୍ଥ, କେତେ କର୍ମ ଓ କେତେ ମୋକ୍ଷ ଲାଭ କଲେ, ତା’ର ହିସାବ ଆମ ପାଖରେ ନାହିଁ । ଆମ ପାଖରେ ଅଭାବ ଅନଟନ ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ପିଂଟୁଙ୍କ ପରିବାର ଉପରେ ମହାକୁମ୍ଭ ମେଳାର କୋଟିପତି ଆଶୀର୍ବାଦ ଝଲସି ଉଠିଛି । ଆପଣମାନେ କ’ଣ ଭାବୁଛନ୍ତି? ଗୋଟିଏ ଡଙ୍ଗାରୁ ପିଂଟୁ ୩୦ କୋଟି କମାଇଛନ୍ତି ।
ଆଦୌ ନୁହେଁ । ପିଂଟୁ କହନ୍ତି, ସେ ୨୦୧୯ ମହାକୁମ୍ଭ ମେଳାରେ ଯୋଉ ଅବ୍ୟବସ୍ଥା ଲକ୍ଷ୍ୟ କଲେ, ତାକୁ ହିଁ ତାଙ୍କର ରୋଜଗାର ବାଟ ଭାବେ ବାଛିନେଲେ । ନଦୀତୁଠରୁ ଡଙ୍ଗାରେ ବସି ତ୍ରିବେଣୀ ସଂଗମ ନିକଟକୁ ଯାଇ ସେଠାରୁ ପବିତ୍ର ଜଳ ସଂଗ୍ରହ ଆଶାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ନିକଟରୁ ପାଉଣା ଆଦାୟ କରିକରି ସେ ୩୦ କୋଟି ଟଙ୍କା କମାଇଛନ୍ତି । ପ୍ରତି ୧୦ ଜଣିଆ ଟ୍ରିପରୁ ଅନ୍ୟୁନ ୬ ହଜାର ଟଙ୍କା ଆଦାୟ କରନ୍ତି ପିଂଟୁ । ୪୫ ଦିନର ମହାକୁମ୍ଭ ଭିତରୁ ଦିନେ ପିଂଟୁଙ୍କ ରୋଜଗାର ଥିଲା ୩୦ ହଜାର ଟଙ୍କା ।