ଭୁବନେଶ୍ୱର: ମୋହନ ଚରଣ ମାଝିଙ୍କ ମନରେ ଗୋଟିଏ ଆଶା ଥିଲା, ମୁଖ୍ୟମନ୍ତ୍ରୀ ହେବେ ତ ଏଜି ଛକରୁ ରାଜଭବନ ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତାର ଦୁଇପାଖରେ ଠିଆ ହୋଇଥିବା କ୍ୱାର୍ଟର ଭିତରୁ କୌଣସି ଗୋଟିଏ କ୍ୱାର୍ଟରରେ ଅବସ୍ଥାନ କରିବେ, ସେହି କ୍ୱାର୍ଟରରୁ ରାଜଭବନକୁ ଯେପରି ଆରାମରେ ଦେଖି ପାରୁଥିବେ ।
ତାଙ୍କର ସେହି ଅଭିଳାଷଟି ଆଜି ପୂରଣ ହୋଇଛି । ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାଙ୍ଗରେ ଧର୍ମପତ୍ନୀ ଓ ପିଲାପିଲିଙ୍କୁ ଧରି ଆଧୁନିକ ପରିପାଟୀରେ ସଜ୍ଜିତ କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ଗୃହ ପ୍ରବେଶ ପୂର୍ବରୁ ପୁରୀରୁ ୧୧ ଜଣ ବ୍ରାହ୍ମଣ ଦେବତା ନିର୍ଭୁଲ ସହକାରେ ବେଦପାଠ କରି ଗୃହ ପ୍ରବେଶ ପୂଜା ସାରିଥିଲେ । ଦୁଇଟି ଗାଈକୁ ପୂଜାର୍ଚ୍ଚନା କରାଯାଇଥିଲା । ତା’ପରେ ଘର ଭିତରକୁ ସପରିବାର ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
ଘଂଟାରେ ୧୦ ଟା ୪୭ ମିନିଟ୍ ବାଜିବା ମାତ୍ରେ ମୁଖ୍ୟମନ୍ତ୍ରୀ ମାଝି କାଳବିଳମ୍ବ ନକରି ନୂଆ ଘରେ ପ୍ରବେଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣାଟି ଦୁଇମହଲା ବିଶିଷ୍ଟ କୋଠା । ଉକ୍ତ କୋଠାରେ ଏକାଧିକ ସଭାକକ୍ଷ, ଗୋଟିଏ ୱାଚ୍ ଟାୱାର, ଘର ସାମ୍ନାରେ ବିରାଟ ବଗିଚା ରହିଛି । ମୁଖ୍ୟମନ୍ତ୍ରୀ ମାଝିଙ୍କ ନୂଆ କ୍ୱାର୍ଟରଟି ଅନିନ୍ଦ୍ୟ ସୁନ୍ଦରୀ ହେବାକୁ ପ୍ରାୟ ୮ ମାସ ସମୟ ନେଇଥିଲା । ଘରଟି ପ୍ରାୟ ୨୬ ବର୍ଷ ଧରି ବ୍ୟବହାର କରାଯାଇ ନଥିଲା । ପୂର୍ବ ମୁଖ୍ୟମନ୍ତ୍ରୀମାନେ ଗାନ୍ଧୀମାର୍ଗରେ ଅବସ୍ଥାନ କରୁଥିଲେ ।