୧.୬୪ କୋଟି ମହିଳାଙ୍କୁ ମିଳିଲା ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା
ଗଞ୍ଜାମ ଜିଲ୍ଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ରାଜ୍ୟର ୧.୬୪ କୋଟି ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୯ ମାସର ନୂଆ ସରକାର ଆଜି ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲି ପାରିଛି । ସବୁ ମା’ଙ୍କୁ ୨ଟି ସୁଭଦ୍ରା କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ମିଳିଛି । ମୁଖ୍ୟମନ୍ତ୍ରୀ ଭାବେ ଆଜି ଦିନଟି ମୋ ପାଇଁ ସବୁଠାରୁ ସନ୍ତୋଷର ଦିନ ଓ ସବୁଠାରୁ ଗୌରବର ଦିନ ।
ସୁଭଦ୍ରା କେବଳ ଏକ ଯୋଜନା ହୋଇ ରହି ନାହିଁ, ଏହା ଏକ ବିପ୍ଳବରେ ପରିଣତ ହୋଇଛି । କାରଣ ସୁଭଦ୍ରା ଯୋଜନା କେବଳ ବର୍ଷକୁ ଦୁଇଥର ସହାୟତା ବାଣ୍ଟିବା କାର୍ଯ୍ୟକ୍ରମ ନୁହେଁ । ସୁଭଦ୍ରା ଯୋଜନା ଏକ ବ୍ୟାପକ ଅଭିଯାନର ରୂପ ନେବାକୁ ଯାଉଛି । କିଶୋରୀମାନଙ୍କଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୟସର ମହିଳାମାନେ ସଶକ୍ତ ଏବଂ ସମୃଦ୍ଧ ହୋଇପାରିବାର ବ୍ୟବସ୍ଥା କରାଯାଉଛି । ଏହା ରାଜ୍ୟର ପ୍ରତ୍ୟେକ ସୁଭଦ୍ରାଙ୍କ ମନରେ ଏକ ନୂତନ ଆଶା ଓ ବିଶ୍ୱାସର ସଂଚାର କରିବ ।
ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛି । ଏଥିରେ ଅନେକ ଜଳଯୋଗାଣ ପ୍ରକଳ୍ପ, ସଡ଼କ ଉନ୍ନତିକରଣ, ସେତୁ ନିର୍ମାଣ, ଚେକ୍ ଡ୍ୟାମ୍ ପ୍ରକଳ୍ପ, ସ୍ୱାସ୍ଥ୍ୟସେବା କେନ୍ଦ୍ର ସ୍ଥାପନ, ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଭଳି ବିଭିନ୍ନ ପ୍ରକଳ୍ପ ରହିଛି । ଏହା ଜିଲ୍ଲାର ବିକାଶଧାରାକୁ ଆହୁରି ତ୍ବରାନ୍ୱିତ କରିବ ।