ଦେଶପ୍ରେମ ଆଗରେ କରୋନା ଫିକା, ଲାଲକିଲ୍ଲାରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ(ଏସ୍ ନ୍ୟୁଜ): କରୋନା ମହାମାରୀର ଦାଉରେ ଭାରତ ସମେତ ସମଗ୍ର ବିଶ୍ୱ ପ୍ରପୀଡ଼ିତ। ସଭିଙ୍କ ସ୍ୱାଭାବିକ ଦିନଚର୍ଯ୍ୟା ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ଅନେକଙ୍କ ଜୀବନ ଦୀପ ବୁଝାଇସାରିଥିବା ଏ ରୋଗ କିନ୍ତୁ ଭାରତବାସୀଙ୍କ ଦେଶପ୍ରେମର ବହ୍ନିକୁ ଲିଭାଇପାରିନି। ଆଜି କଟକଣା ଭିତରେ ହେଉପଛେ ବେଶ ହର୍ଷ ଉଲ୍ଲାସରେ ଦେଶବ୍ୟାପୀ ଉଡ଼ିଛି ତ୍ରିରଙ୍ଗା।

୭୪ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜିର ଦିନରେ ସେ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ମନେପକାଇଛନ୍ତି। ଅହରହ ରାଷ୍ଟ୍ରର ସୁରକ୍ଷାରେ ନିଜକୁ ନିୟୋଜିତ କରିଥିବା ସେନାର ଯବାନ ଏବଂ ସୁରକ୍ଷା ବାହିନୀଙ୍କୁ ସମ୍ମାନ ପ୍ରଦର୍ଶନ କରିବାର ଏହି ଦିନ ବୋଲି ମୋଦୀ କହିଛନ୍ତି।

‘ଆମେ ଖରାପ ସମୟ ଦେଇ ଗତି କରୁଛେ। ମୁଁ ଆଜି ମୋ ସାମ୍ନାରେ ତରୁଣ ପିଲାମାନଙ୍କୁ ଦେଖିପାରୁନି(ଲାଲକିଲ୍ଲା ସମ୍ମୁଖରେ)। କରୋନା ସବୁ କିଛି ଅଟକାଇ ଦେଇଛି। କୋଭିଡ ଯୋଦ୍ଧାମାନେ ସେବା ପରମୋ ଧର୍ମକୁ ଜୀବନ ମନ୍ତ୍ର ବନେଇ ଦେଶବାସୀଙ୍କ ସେବା କରିଚାଲିଛନ୍ତି। ମୁଁ ସେମାନଙ୍କୁ ସମ୍ମାନ ଜଣାଉଛି।’ ଏଭଳି ଶବ୍ଦରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ।

ସକାଳୁ ରାଜଘାଟ ଯାଇ ପ୍ରଧାନମନ୍ତ୍ରୀ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ପୁଷ୍ପାଞ୍ଜଳି ଦେଇଥିଲେ। ଏହାପରେ ଲାଲକିଲ୍ଲା ଠାରେ ପହଞ୍ଚିବା କ୍ଷଣି ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ୱାଗତ କରିବା ସହ ତିନି ସେନା ପକ୍ଷରୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା। ଲେଫ୍ଟନାଣ୍ଟ କର୍ଣ୍ଣେଲ ଗୌରବ ଏସ୍ ବାଲାକର ଏହାର ନେତୃତ୍ୱ ନେଇଥିଲେ। ପରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଷ୍ଟ୍ରୀୟ ସଙ୍ଗୀତ ଜନ ଗଣ ମନ ଗାନ କରି ତ୍ରିରଙ୍ଗାକୁ ସାଲ୍ୟୁଟ ଜଣାଇଥିଲେ।