ନୂଆଦିଲ୍ଲୀ: ସୋମବାର ଦିନ ଲୋକସଭା ଅଧିବେଶନ ଠିକ ଭାବରେ ଚାଲିପାରିଲାନି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ବିବୃତିକୁ ପ୍ରବଳ ବିରୋଧ କରି ଡିଏମ୍କେ ସାଂସଦମାନେ ଲୋକସଭା ଭିତରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲେ । ପରିଣାମ ସ୍ୱରୂପ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ଅଧ୍ୟକ୍ଷ ମହୋଦୟ ।
ପ୍ରଧାନ କହିଥିଲେ, ତାମିଲନାଡୁର ଡିଏମ୍କେ ସରକାର ରାଜ୍ୟରେ ପ୍ରଧାନମନ୍ତ୍ରୀ ସ୍କୁଲ୍ସ ଫର୍ ରାଇଜିଂ ଇଣ୍ଡିଆ (ପିଏମ୍ ଶ୍ରୀ) ଯୋଜନାକୁ ଆନ୍ତରିକତାର ସହିତ କାର୍ଯ୍ୟକାରୀ କରିବାକୁ ଚାହୁଁନାହାନ୍ତି । ତାମିଲନାଡୁ ସରକାର କେନ୍ଦ୍ର ସରକାରଙ୍କ ପିଏମ୍ ଶ୍ରୀ ଯୋଜନାର ରୂପରେଖ ବଦଳାଇ ଦେଇଛି । କେନ୍ଦ୍ର ସରକାରଙ୍କ ସହିତ ବୁଝାମଣା ପତ୍ରରେ ଅଙ୍ଗିକାରବଦ୍ଧ ହୋଇଥିଲେ ମଧ୍ୟ ତାମିଲନାଡୁ ସରକାରଙ୍କ ହୀନମନ୍ୟତାର କୁପରିଣାମ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଭୋଗିବାକୁ ପଡୁଛି । କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ଭଳି ଅଣବିଜେପି ରାଜ୍ୟଗୁଡ଼ିକ ମଧ୍ୟ କେନ୍ଦ୍ର ସରକାରଙ୍କ ଉଦାର ଶିକ୍ଷା ଯୋଜନା ସଂକୀର୍ଣ୍ଣ ରାଜନୀତିରେ ବଳି ପକାଉଛନ୍ତି ।
ଅତୀତରେ ଯୋଉ ଡିଏମ୍କେ ସାଂସଦମାନେ କେନ୍ଦ୍ର ସରକାରଙ୍କ ପିଏମ୍ ଶ୍ରୀ ଯୋଜନାକୁ ଦୃଢ଼ ସମର୍ଥନ କରିଥିଳେ । ଏବେ ସେହିମାନେ ମତ ବଦଳାଇ କୋମଳମତି ପିଲାଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏପରି ମନ୍ତବ୍ୟକୁ ଅରୁଚିକର କହି ଡିଏମ୍କେ ସାଂସଦଗଣ ତୀବ୍ର ପ୍ରତିବାଦ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି ମହୋଦୟ ଅଧିବେଶନକୁ ପ୍ରଥମ ପର୍ଯ୍ୟାୟରେ ଅଧଘଂଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ମଧ୍ୟାହ୍ନ ୧୨ଟାରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ମାତ୍ରେ ଡିଏମ୍କେ ସାଂସଦମାନେ ନାନା ବାଧା ସୃଷ୍ଟି କରିଥିଲେ । ଅପରାହ୍ଣ ଭିତରେ ଅଧିବେଶନକୁ ଏକାଧିକବାର ମୁଲତବୀ କରାଯାଇଥିଲା ।