ମିଳିତ ଜାତିସଂଘରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଅପଦସ୍ତ କଲା ଭାରତ

ମିଳିତ ଜାତିସଂଘ: ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇ ପାକିସ୍ତାନ ପୁନର୍ବାର ଭାରତ ଦ୍ୱାରା ଅପମାନିତ ହୋଇଛି । ସାଧାରଣ ପରିଷଦ ବୈଠକରେ ଯୋଗଦାନ କରିଥିବା ଅନ୍ୟ ସଭ୍ୟ ରାଷ୍ଟ୍ରମାନଙ୍କର ପ୍ରତିନିଧିଙ୍କ ମନକୁ ଜିତିବା ପାଇଁ ଭାରତ କହିଥିଲା ଯେ ଜମ୍ମୁ-କଶ୍ମୀର ଭାରତର ଏକ ରାଜ୍ୟ । ତାକୁ ଆତଙ୍କୀ କବଳରୁ ମୁକ୍ତ କରିବା ଓ ତାକୁ ବିକଶିତ କରିବା ଭାରତ ସରକାରଙ୍କ ପ୍ରଧାନ କାମ । ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ବା ବାଧା ସୃଷ୍ଟି କରିବା ଆଦୌ ଗ୍ରହଣଯୋଗ୍ୟ ପ୍ରସଙ୍ଗ ନୁହେଁ ।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶଙ୍କ ବଳିଷ୍ଠ ଯୁକ୍ତିକୁ ବହୁ ସଭ୍ୟ ରାଷ୍ଟ୍ର ସମର୍ଥନ କରିଥିଲେ । ହରିଶ ଏହା ମଧ୍ୟ କହିବାକୁ ଭୁଲି ନଥିଲେ ଯେ ପାକିସ୍ତାନର ସରକାର ବଦଳୁଛନ୍ତି, ମାତ୍ର ତା’ର ପୁରୁଣା ଅଭ୍ୟାସ ବଦଳୁନି । ପ୍ରତିବର୍ଷ ମିଳିତ ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ ଦିନ ପାକିସ୍ତାନ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇ ଆସୁଛି ଓ ହଲାପଟା ହେଉଛି ।

ଶୁକ୍ରବାର ବୈଠକରେ ପାକିସ୍ତାନ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇ ସେଠାକାର ଜନତାଙ୍କ ପ୍ରତି ଭାରତ ସରକାରଙ୍କ ଦମନମୂଳକ ନୀତିକୁ ଆକ୍ଷେପ କରିଥିଲା । ପାକିସ୍ତାନ କହିବାକୁ ଚାହୁଁଥିଲା ଯେ ଜମ୍ମୁ-କଶ୍ମୀର ଜନତାଙ୍କ ମନରୁ ପାକିସ୍ତାନ ପ୍ରୀତି ଦୂର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଜନତାଙ୍କୁ ଭୟ ଓ ଆତଙ୍କିତ ପରିବେଶରେ ରହିବାକୁ ବାଧ୍ୟ କରାଯାଉଛି ।