କୁଚିଣ୍ଡା( ଏସ୍ ନ୍ୟୁଜ ): ଶେଷକୃତ୍ୟ ପାଇଁ ପୁଅ ନଥିବାରୁ ବାପାଙ୍କ ଶବକୁ କାନ୍ଧ ଦେଲେ ୪ ଝିଅ। ଭାଇ ନଥିଲେ କଣ ହେଲା ନିଜେ ପୁଅ ପରି ୪ ଝିଅ କଲେ ସବୁ କର୍ମ। ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କେନ୍ଦୁଡିହି ଗାଁରେ। ୯୧ ବର୍ଷରେ ବାପା ଚାଲିଯିବା ପରେ ୪ ଝିଅ ସମାଜର ନୀତିନିୟମକୁ ଖାତିରି ନକରି ସମସ୍ତଙ୍କ ଆଗରେ ବାପାଙ୍କ ଶବକୁ ଘରୁ କିଛି ବାଟ କାନ୍ଧ ଦେଇ ନେଇଥିବା ଦେଖିବାକୁ ମିଳିଥିଲା। ଏଭଳି ଘଟଣାକୁ ନେଇ ଏବେ ଚାରିଆଡୁ ପ୍ରଶଂସା ମିଳୁଛି ।
ତେବେ ମଙ୍ଗଳବାର କେନ୍ଦୁଡ଼ିହି ଗ୍ରାମର ୯୧ ବର୍ଷ ବୟସ୍କ ଲକ୍ଷ୍ମଣ କିସାନଙ୍କ ଦେହାନ୍ତ ହୋଇଥିଲା। ହେଲେ ତାଙ୍କର କେହି ପୁତ୍ର ସନ୍ତାନ ନଥିବାରୁ ସମାଜର ସମସ୍ତ କଟକଣାକୁ ଖାତିର ନକରି ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ ନେଇଥିଲେ ୪ ଝିଅ। ଘରୁ ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ କିଛି ବାଟ ଯିବା ପରେ ଉପସ୍ଥିତ ବନ୍ଧୁ-ବାନ୍ଧବ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ। ପରେ ସାନ ଝିଅର ପୁଅ ଲକ୍ଷ୍ମଣଙ୍କ ମୁଖାଗ୍ନି ଦେଇଥିଲେ। ଆଜିର ସମାଜରେ ଏଭଳି ଏକ ନିଆରା ଦୃଶ୍ୟ ବାସ୍ତବିକ ଭାବେ ପୁଅ ନଥିବା ବାପାଙ୍କ ମନୋବଳକୁ ଆହୁରି ଦୃଢ କରିବ।ଆଉ ପୁଅ ଝିଅ ଭିତରେ ଥିବା ସମାନତାକୁ ବେଶ ପ୍ରତିପାଦିତ କରିବ ।