ଉତ୍ତରପ୍ରଦେଶ: ଚାଷଜମିକୁ ପାଣି ପାଇବା ପାଇଁ ଗ୍ରାମବାସୀ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ । ସେହି ଗ୍ରାମବାସୀ କେନାଲ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦାନ କରି ଖୁସି ଜାହିର କରିଥିଲା ବେଳେ ସଂପୃକ୍ତ ଅଂଚଳର ବିଧାୟକ ଅତି ମାତ୍ରାରେ ରାଗି ଯାଇଛନ୍ତି । ମାମଲାଟିକୁ ମୁଖ୍ୟମନ୍ତ୍ରୀଙ୍କ ଇଜଲାସରେ ଆଗତ କରିବେ ବୋଲି ଧମକ ଦେଇଛନ୍ତି ସଂପୃକ୍ତ ବିଧାୟକ ।
ବ୍ଲକ ଅଧିକାରୀ ବିଧାୟକଙ୍କୁ ମନାଇବା କାମରେ ଲାଗି ପଡ଼ିଛନ୍ତି । କଥା କ’ଣ କି? ଗଡ଼ରୋଡରେ ଗୋଟିଏ କେନାଲ ଖୋଳିବା ଓ ଆବାସ ତିଆରି ବାବଦ ସାଢେ଼ ତିନିକୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ମଙ୍ଗଳବାର ଦିନ ପ୍ରସ୍ତାବିତ କେନାଲଟିର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସାଂସଦ ଅରୁଣ ଗୋଭିଲ ଓ ବିଧାୟକ ବିଜୟପାଲ ଆଢ଼ତୀଙ୍କୁ ଡକା ଯାଇଥିଲା । ସାଂସଦ ଅରୁଣ ଗୋଭିଲ ଯଥା ସମୟରେ ପହଂଚିଥିଲେ । ବିଧାୟକଙ୍କୁ ଅପେକ୍ଷା ନକରି ଆୟୋଜକ ମଣ୍ଡଳୀ ଶିଳାନ୍ୟାସ ପର୍ବ ସାରିଦେଲେ । ଏସବୁ ଦେଖି ବିଧାୟକ ଭୀଷଣ ରାଗିଗଲେ, ଅଭିଯୋଗ କଲେ ଯେ ତାଙ୍କୁ ସାଢେ଼ ୧୧ଟାରେ ଆସିବାକୁ କୁହାଯାଇଥିଲା । ସେ ଯଥା ସମୟରେ ପହଂଚି ଥିଲେ ମଧ୍ୟ ତାଙ୍କୁ ଅପମାନିତ କରାଗଲା ।