ହନୁମାନଙ୍କ ଉପରେ ରହିଛି ୮ ଜଣ ଦେବତାଙ୍କ କୃପାଦୃଷ୍ଟି

ଶ୍ରୀରାମଦୂତ ହନୁମାନଙ୍କ ସଂପର୍କରେ ବହୁତ କିଛି ଆପଣମାନେ ଜାଣିଛନ୍ତି । ଅସୀମ ଶକ୍ତିର ଅଧିକାରୀ ହନୁମାନଙ୍କ ଉପରେ ୮ ଜଣ ଦେବତାଙ୍କର କୃପାଦୃଷ୍ଟି ସଦାସର୍ବଦା ରହିଛି । ହନୁମାନଙ୍କୁ ଚିରଞ୍ଜିବୀ ବର ପ୍ରଦାନ କରିଛନ୍ତି ମୃତ୍ୟୁ ଦେବତା ଯମରାଜ । ଜନ୍ମ ଓ ମୃତ୍ୟୁ ଚକ୍ରକୁ ଭେଦ କରିବାର କ୍ଷମତା ହନୁମାନଙ୍କ ନିକଟରେ ଥିବାରୁ ସେ ମୃତ୍ୟୁଜୟୀ ।

ବରୁଣ ଦେବତାଙ୍କ କୃପା ବଳରେ ହନୁମାନ ବିଶାଳ ସାଗର ଲଙ୍ଘିଥିଲେ । ହନୁମାନଙ୍କ ଉପରେ ଜଳ ପ୍ରକୋପ କାମ କରିବନି । ସାମୁଦ୍ରିକ ଝଡ଼, ଘୂର୍ଣ୍ଣିବାତ୍ୟା, ବାଦଲଫଟା ବର୍ଷା, ବିଜୁଳି ଘଡ଼ଘଡ଼ି ବଜ୍ରପାତ ହନୁମାନଙ୍କର କିଛି କ୍ଷତି କରିପାରିବନି ।

ଅଗ୍ନିଦେବତାଙ୍କ କୃପା ଲାଭ କରିଥିବାରୁ ହନୁମାନ ନିଅାଁକୁ ଖାତିର କରନ୍ତି ନାହିଁ । ହନୁମାନଙ୍କ ଲଙ୍କାପୋଡ଼ି ବିଷୟ ଆପଣମାନେ ଜାଣିଛନ୍ତି । ବାୟୁଦେବ ହନୁମାନଙ୍କର ବାପା ପରିଚୟ ବହନ କରିଛନ୍ତି । ହନୁମାନଙ୍କ ଉପରେ ବାୟୁଦେବତାଙ୍କର ବିଶେଷ କୃପା ରହିଛି । ଖାସ୍‌ ସେଇଥିପାଇଁ ହନୁମାନଙ୍କ ଗତି ମନର ଗତି ତୁଳନାରେ ଯଥେଷ୍ଟ ଅଧିକ ।

ଧନର ଦେବତା କୁବେରଙ୍କ ଆଶିଷ ବଳରେ ହନୁମାନ ସଦା ଅପରାଜେୟ । ଧର୍ମକୁ ପାଳନ କରୁଥିବା ବ୍ୟକ୍ତି ହନୁମାନଙ୍କର ଅତି ପ୍ରିୟ । ଭଗବତ୍‌ ପ୍ରେମୀଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ହନୁମାନ ।

ସୂର୍ଯ୍ୟଦେବ ହନୁମାନଙ୍କୁ ଶିଷ୍ୟ ରୂପେ ଗ୍ରହଣ କରିଥିଲେ । ହନୁମାନଙ୍କ ନିଷ୍ଠା ଓ ସେବା ମନୋଭାବ ସୂର୍ଯ୍ୟଦେବଙ୍କୁ ପ୍ରଭାବିତ କରିଥିଲା । ସୂର୍ଯ୍ୟଦେବଙ୍କ କୃପାରୁ ହନୁମାନ ମହାଜ୍ଞାନୀ । ଦେବଶିଳ୍ପୀ ବିଶ୍ୱକର୍ମା ହନୁମାନଙ୍କ ଶରୀରକୁ ଏପରି ଶକ୍ତିଶାଳୀ କରିଛନ୍ତି ଯେ କୌଣସି ଅସ୍ତ୍ର ତାଙ୍କର କିଛି କ୍ଷତି କରି ପାରିବନି ।

ଦେବତାଙ୍କ ରାଜା ଇନ୍ଦ୍ରଦେବଙ୍କ ନିକଟରୁ ଆଶିଷ ଲାଭ କରି ହନୁମାନ ବଜ୍ରଠାରୁ ଆହୁରି ଭୟଙ୍କର ଅସ୍ତ୍ରକୁ ଭେଦ କରିବାର କଳା ହାସଲ କରିଛନ୍ତି । ରାଜା ହୋଇ ମଧ୍ୟ ହନୁମାନ ନିଜକୁ ଶ୍ରୀରାମଙ୍କ ଦୂତ ପରିଚୟକୁ ଅଧିକ ପସନ୍ଦ କରିଥାନ୍ତି । ଆଜିର ଯୁଗରେ ଡାକ ପିଅନ କାମ ଓ ରାମାୟଣ ଯୁଗର ହନୁମାନଙ୍କ କାମ ପ୍ରାୟତଃ ସମାନ ।