ଭଲ ମନ୍ଦ ବିଚାର କରିବା ଆଦୌ ସହଜ ନୁହେଁ, ନିଜେ ଶ୍ରୀକୃଷ୍ଣ ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି

ସତମିଛ, ଭଲମନ୍ଦ, ଠିକଭୁଲ, ସରଳ ଜଟିଳ, ଯୋଗ୍ୟ ଅଯୋଗ୍ୟ । ବାଟରେ ଚାଲୁ ଚାଲୁ ଏମିତି ଅନେକ ଛକ ପଡେ଼ । କୋଉଟା ଆମ ପାଇଁ  ଗ୍ରହଣ ଯୋଗ୍ୟ? ତାହା ବିଚାର କରିବା ଆମ ପାଇଁ କଷ୍ଟକର ହୋଇପଡେ଼ । ସେ ସମୟରେ ଆମେ ବଡ଼ଲୋକଙ୍କୁ ପଚାରିଥାଉ । ବଡ଼ଲୋକ କହିଲେ ଆମଠାରୁ ବଳି ମହାଜ୍ଞାନୀ ହୋଇପାରନ୍ତି । ଆମ ତୁଳନାରେ ଅଧିକ ଅଭିଜ୍ଞତାର ଅଧିକାରୀ ହୋଇପାରନ୍ତି ।

ଭାଗବତ ଗୀତା ଜରିଆରେ ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟମ ପାଣ୍ଡବ ଅର୍ଜୁନଙ୍କୁ ସବୁ କଥା ବିସ୍ତାରିତ ବଖାଣିଛନ୍ତି । ପ୍ରଭୁଙ୍କ ଉପଦେଶ ଆମ କାନକୁ ଶୁଣିବାକୁ ଯେତିକି ଭଲ ଲାଗୁଛି । ତାହା ପାଳନ କରିବା ସେତିକି ସହଜ ନୁହେଁ । ଏ କଥାଟିକୁ ନିଜେ ଶ୍ରୀକୃଷ୍ଣ ସ୍ୱୀକାର କରିଛନ୍ତି ।

ଶ୍ରୀକୃଷ୍ଣ କହିଛନ୍ତି, ହେ ଅର୍ଜୁନ, ସତକୁ ସାହସର ସହିତ ସାମ୍ନା କରିବା, ସତକୁ ସାହସର ସହିତ ସ୍ୱୀକାର କରିବା, ସତକୁ ସାହସର ସହିତ ପ୍ରତିବାଦ କରିବା ବଡ଼ ଜଟିଳ ପାଠ । ମହାଭାରତ ଯୁଦ୍ଧକ୍ଷେତ୍ରରେ ତମକୁ ଚୂଡ଼ାନ୍ତ ନିଷ୍ପତି ନେବାକୁ ପଡ଼ିବ । ମୁଁ ତମକୁ ତମର ଅଧିକାର ଓ କର୍ତବ୍ୟ ସଂପର୍କରେ ସଚେତନ କରିଛି ।

ଦୁର୍ଯ୍ୟୋଧନ ଓ କୁରୁସେନା ସହିତ ଯୁଦ୍ଧ କରି ତମେ ଗୌରବର ଅଧିକାରୀ ହେବ କି କ୍ଷତ୍ରିୟ ଧର୍ମକୁ ପାଳନ ନକରି କାଳ କାଳକୁ ଅପଯଶ ମୁଣ୍ଡାଇବ, ସେ ନିଷ୍ପତି ତମ ଉପରେ ଛାଡ଼ି ଦେଉଛି । ଆଗାମୀ ଦିନରେ ସଂସାର ତମ ବିଜୟ ଅବା ପରାଜୟ ପାଇଁ ମୋତେ ଦାୟୀ କରିବନି । ମୁଁ ତମକୁ ଜ୍ଞାନାଲୋକ ପ୍ରଦାନ କରିଛି । ତମେ ବିଚାର କର ।