ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ମୁଣ୍ଡ ଟେକିଥିବା ଛାତ୍ର ଆନ୍ଦୋଳନକୁ କୌଣସି ପରିସ୍ଥିତିରେ ଚପାଇବାକୁ ଚାହିଁ ନଥିଲେ ସେଠାକାର ସେନାମୁଖ୍ୟ ।
ମୋଟ ଉପରେ କହିଲେ, ସେନାବାହିନୀ ମଧ୍ୟ ହାସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାହୁଁଥିଲା । ବେଶ କିଛିଦିନ ପରେ ମୁହଁ ଖୋଲିଛନ୍ତି ଭାରତରେ ରାଜନୈତିକ ଆଶ୍ରୟ ନେଇଥିବା ଶେଖ ହାସିନା ।
ସେ କହିଛନ୍ତି, ବାଂଲାଦେଶର ଭବିଷ୍ୟତ କଥା ଭାବିଲେ ମୋ ମୁଣ୍ଡ କାମ କରୁନି । ବାଂଲାଦେଶରୁ ଭାରତକୁ ପଳାଇ ଆସିବା ମୋ ପକ୍ଷେ ଉଚିତ ହେବ କି ନାହିଁ, ସେ ବିଷୟ ଭାବିବା ପାଇଁ ମୋ ପାଖରେ ସମୟ ନଥିଲା ।
ମୋତେ ସେନାମୁଖ୍ୟ କହିଲେ, ମ୍ୟାଡାମ୍ ବିଦ୍ରୋହୀ ଛାତ୍ରମାନେ ଯେକୌଣସି ମୁହୂର୍ତରେ ଗଣଭବନ ଭିତରେ ପଶି ଆପଣଙ୍କୁ ଆକ୍ରମଣ କରିପାରନ୍ତି । ଉତ୍ୟକ୍ତ ଛାତ୍ରମାନଙ୍କ ଉପରେ ଗୁଳି ଚଳାଇବା ଆମ ପକ୍ଷେ ଅନୁଚିତ ହେବ । ଆପଣ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଦ୍ରୋହକୁ ଶାନ୍ତ କରନ୍ତୁ ।
ସେନାମୁଖ୍ୟଙ୍କ ନିକଟରୁ ଏତକ ଶୁଣିବା ପରେ ହାସିନା କହିଥିଲେ, ‘ମୋତେ ଗୁଳି କରି ମାରିଦିଅ । ମୃତଦେହକୁ କବର ଦେଇଦିଅ ।’