‘ସୁଧ’

ଗାଁ ର ନାଁ ବୀରଭଦ୍ର ପୁର | ସମୁଦାୟ କୋଡିଏ ଘରକୁ ନେଇ ଛୋଟିଆ ଗାଁ ଟେ | ଗାଁ ଲୋକ ସବୁ ସରଳିଆ, କିଏ ଜମା ପାଠ ପଢିନି ତ କିଏ ଅଧାରୁ ପାଠଶାଠ ଛାଡି ଦେଇଛି | ସ୍କୁଲ କହିଲେ ଚାରି କିଲୋମିଟର ଦୂରରେ ଗୋଟେ ଉପ୍ରା ବିଦ୍ୟାଳୟ ଆଉ କୋଷେ ବାଟ ଛାଡି ଉଚ୍ଚ ବିଦ୍ୟାଳୟ | ଏତେ କମ ସଂଖ୍ୟକ ଭୋଟର ଥିବାରୁ ରାଜନୈତିକ ଇଛାଶକ୍ତି ବି ଶୂନ |

ଭୋଟ ସମୟରେ କାହାକୁ କୁକୁଡ଼ା କିଲେ, ମାଛ କିଲେ ନହେଲେ ଅତି ବେଶୀରେ ଦୁଇଟା ନାଲି ପାଣି ବୋତଲ ଧରେଇ ଦିଅନ୍ତି ଗାଁ ଟାଉଟର, ସେଇଥିରେ ପେଁ ପାଁ କରି ଇଭିଏମ ମେସିନ ବଟନ ଚିପିଦିଅନ୍ତି ଗାଁ ଲୋକେ | ଆଚ୍ଛା କଥା, ଗୋଟେ ମେସିନରେ ଯାଇ ବଟନ ଚିପିଲେ କୁକୁଡ଼ା, ମାଛ ସବୁ ମିଳିଯାଉଛି, ଚିପିଦିଅ ଯାଇ ଯୋଉଠି କଉଛନ୍ତି | ନଚିପିଲେ କୋଉ ଗାଁ ଅବସ୍ଥା ସୁଧୁରିଯିବ | ଭୋଟ ସଇଲେ ଆଉ ପାଞ୍ଚ ବର୍ଷ କାହା ଦେଖା ମିଳେନି, ଗାଁ ଟାଉଟର ଙ୍କ ସେଇ ଗୋଟିଏ ଉତ୍ତର “ହବ ହବ” ଆ ତୁଚ୍ଛାରେ ଏତେ ବ୍ୟସ୍ତ କାହିଁକି ହଉଛ? ଗାଁ ରେ ରାସ୍ତା ନାହିଁ, ସ୍କୁଲ ନାହିଁ, ପିଇବା ପାଣି ସମସ୍ୟା, ବିଜୁଳି ଥାଇ ନଥିଲା ଭଳି ଆଉ ବେଡି ଉପରେ କୋରଡ଼ା ମାଡ ଭଳିଆ ଗାଁ ଦି ପଟରେ ଦିଟା ମଦ ଦୋକାନ, ଗୋଟେ ଦେଶୀ ଆଉ ଗୋଟେ ବିଦେଶୀ |

ଯାହା ର କିଛି ଆୟ ନାହିଁ ତା ପାଇଁ ଛକ ପାଖ ନଟିଆ ଦୋକାନରେ ପାଞ୍ଚ ଟଙ୍କାରେ ପୁଡିଆ ମିଳୁଛି | ପିସ୍ତଲ ରେ ପୁରେଇ ଗୋଟେ ସଟ ମାରିଲେ ସିଧା ଯାଇ କପିଳାସ ପର୍ବତ ଦୁଆର ମୁହଁରେ | ତାପରେ କିଏ ସରକାରୀ ପରାମର୍ଶଦାତା ତ କିଏ ଆଇନ ବିଶେଷଜ୍ଞ, କିଏ ବୈଜ୍ଞାନିକ ତ କିଏ ସର୍ବବିଦ୍ୟା ପାରଙ୍ଗମ | ସନ୍ଧ୍ୟା ରେ ସେଠି ଯେଉଁ ଜ୍ଞାନ ପ୍ରାପ୍ତି ହେବ ତାହା ପୃଥିବୀରେ କୌଣସି ବିଶ୍ୱବିଦ୍ୟାଳୟର କୌଣସି ପୁସ୍ତକଗାର ରେ ମଧ୍ୟ ଉପଲବ୍ଧ ହେବନାହିଁ |

ତେବେ ଗାଁ ଲୋକଙ୍କୁ ଘାରିଛି ଅଳ୍ପ କଷ୍ଟରେ ଶୀଘ୍ର କୋଟିପତି ହେବାର ଆଶା | ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ ର ଲୋକଙ୍କୁ ସ୍ୱାବଲମ୍ବୀ କରେଇବାର ଯୋଜନା ପ୍ରଣୟନ କରିଛନ୍ତି | ଯେମିତିକି PMMY,Standup India, PMEGP,NRLM ଏମିତି ଅନେକ, ଯେଉଁ ଯୋଜନା ମାଧ୍ୟମରେ ଜଣେ ସହଜରେ ବ୍ୟାଙ୍କରୁ ଋଣ କରି ତାକୁ ବ୍ୟବସାୟ ରେ ନିବେଶ କରି ସ୍ୱାବଲମ୍ବୀ ହୋଇପାରିବ | କିନ୍ତୁ ଗାଁ ଲୋକେ ଋଣ କରି ତାକୁ ବ୍ୟବସାୟ ରେ ନିବେଶ ନକରି କିଏ ଝିଅ ବାହାଘର ତ କିଏ ଶୁଦ୍ଧିକ୍ରିୟା ରେ ଲଗେଇଛନ୍ତି ଆଉ କିଏ ଆଉ ଦୁଇ ପାଦ ଆଗକୁ ଯାଇ ଗୋଟେ ବିକଟାଳ ରଡି ଛାଡୁଥିବା ଦୁଇଚକିଆ ଯାନ କିଣି ରାସ୍ତାରେ ଫୁଟାଣି ମାରୁଛି |

ଆଉ ଗୋଟେ ସତ କଥା କହିବି ଆପଣ କାନରେ ହାତ ଦେବେ, ସେ ଗାଁ ର ଦୁଇଟା ଅଧା ପାଠୁଆ ମୋବାଇଲି ରେ ଯୋଡ଼ାଏ ଖଣ୍ଡେ ଗେମ ଖେଳୁଛନ୍ତି, କଣ କହୁଥିଲା ସେ ଗେମ ନାଁ ଟା… ହଁ… ଟମି କଲକଲ ଆଉ ରିମ ଡିଲେଭେନ (ଛଦ୍ମ ନାମ) ଯୋଉଥିରେ ୪୯ ଟଙ୍କା ଲଗେଇଲେ କୋଟିପତି ହେଇଯିବ | ପ୍ରତ୍ୟେକ ଦିନ ଖେଳ ଚାଲିଛି ପ୍ରତ୍ୟେକ ଦିନ ୪୯ ରୁ ଆରମ୍ଭ କରି ୪୯00 ଟଙ୍କା ପର୍ଯ୍ୟନ୍ତ ଲଗେଇ ହାରୁଛନ୍ତି, ଦିନେ ସେ ଗାଁ ର ଗୋଟେ ଟୋକାକୁ ପଚାରିଲି.. ହଇରେ ସତ୍ୟାନାଶିଆ… ଏତେ ପଇସା ହାରୁଛୁ, ପଇସା କୋଉଠୁ ଆଣୁଛୁ? ସେ କହିଲା,ଭାଇ..ବ୍ୟାଙ୍କରୁ ଟଙ୍କା ଋଣ କରିଥିଲି ବେପାର କରିବା ପାଇଁ ଆଉ ଏଇଠି ସବୁ ଟଙ୍କା ସାରିସାରିଲିଣି, ପ୍ରଥମେ ପ୍ରଥମେ ଜିତୁଥିଲି ତ ଲୋଭରେ ପଡି ଲୋନ ପଇସା ସବୁ ଖେଳରେ ଲଗେଇଦେଇଛି | ଏଭଳି କ୍ଷେତ୍ରରେ ବାବୁ ବ୍ୟାଙ୍କ ଋଣ କେମିତି ସୁଝିବେ ମୁଣ୍ଡ କାମ କରୁନି ଏଣେ ସୁଧ ଦେଇ ନପାରିବାରୁ ବ୍ୟାଙ୍କ ଜୋରିମାନା ସୁଧ ଲଗେଇଦେଇଛି ଯାହାର ପରିମାଣ ଲୋନ ର ଦୁଇଗୁଣା ହେଇଗଲାଣି|

ବ୍ୟାଙ୍କ ର ଋଣବନ୍ଧନ ରୁ ମୁକ୍ତି ନମିଳିବାରୁ ବାବୁ ଏବେ ସନ୍ଧ୍ୟା ବେଳିଆ କୈଳାସ ପର୍ବତ ଆଡେ ମୁହେଇଛନ୍ତି, ଦିନ ରାତି ଜାଣି ପାରୁନାହାନ୍ତି ଏବଂ ଘରେ ବାପା ମାଆ ମୁଣ୍ଡରେ ହାତ ଦେଇ ବସିଛନ୍ତି ଯେ ଗୋଟିଏ ବୋଲି ପୁଅ ଏମିତି ଯଦି ହଉଛି ତାଙ୍କ ଭବିଷ୍ୟତ କଣ ହବ, ବୁଢା ଦିନେ କିଏ ତାଙ୍କ ଦୁଃଖ ବୁଝିବ|

ଶୁଣିବାକୁ ମିଳିଲାଣି ଯେ ପାଖ ଗାଁ ର କେଇଟା ସୁଧଖୋର ଲୋକ ଏମାନଙ୍କ ଏମିତି ଅବସ୍ଥାର ଫାଇଦା ନେଇ ତାଙ୍କୁ ଋଣ ଜାଲରେ ଛନ୍ଦି ଚାଲିଛନ୍ତି ଆଉ ୟାକୁ ଗୋଟେ ପାରମ୍ପରିକ ବ୍ୟବସାୟରେ ପରିଣତ କରିସାରିଲେଣି | ଟଙ୍କା ବୁଡିବାର ଡର ନାଇଁ ଆଜ୍ଞା, ଏମାନେ ସରଳ ଲୋକ ପରା, ଟିକେ ଚଢା ଗଳା କରି ଧମକ ଦେଲେ ଆଉ କାହାଠୁ ସୁଧରେ ପଇସା ଆଣି ୟାଙ୍କୁ ଦେବେ |

ଗାଁ ରେ ନୂଆ ନୂଆ ଗୋଟେ ଟଙ୍କା ଦିଆ ସୋସାଇଟି ବି ଚାଲିଛି, କିଛି ଲୋକ ପଇସା ଲଗାନ୍ତି ଆଉ କିଛି ଲୋକ ଦରକାର ବେଳେ ଚଢା ସୁଧରେ ଋଣ ନିଅନ୍ତି, ମାସକୁ ସୁଧ କୋଉଠି ଦୁଇ ପ୍ରତିଶତ ଆଉ କଉଠି ଚାରି ପ୍ରତିଶତ | ମାସ ପୁରିଲେ ଗୋଟେ ରୀତିମତ ବୈଠକ ଚାଲେ ଗାଁ ମନ୍ଦିର ପିଣ୍ଡାରେ ଆଉ ଅପରାଧୀ ଭଳି ହାଜର ହୁଅନ୍ତି ଋଣ ଗ୍ରହୀତା | କିଏ ସୁଧ ଦିଏ ତ ଆଉ କିଏ ସୁଧ ନଦେଇପାରିବାର ଅକ୍ଷମତା କୁ ବର୍ଣନା କରେ | ଦୁଇ ଚାରିପଦ ଗାଉଁଲି ଲଳିତ ଛନ୍ଦରେ ଭରା ଗାଳି ବି ଶୁଣିବାକୁ ପଡେ | ଶୁଣିବାକୁ ତ ପଡିବ, କଣ ବୋପା ରଖିଦେଇଯାଇଥିଲା ଯେ ଆସିକି ପଇସା ନେଇଯିବ ଆଉ ଦେଲା ବେଳକୁ ମଳଦ୍ୱାର ରେ ଫାଟ ପଡୁଛି (ଗାଉଁଲି ଲଳିତ ଛନ୍ଦରେ ଭରା ଭାବାର୍ଥ ସବୁ ଲେଖିବା ସମ୍ଭବ ନୁହେଁ, ଯାହା ଗାଁ ରେ ଯେମିତି ଚାଲୁଚି ବୁଝିନେବେ) ଆଉ ହଁ… ବିଶେଷ ଦ୍ରଷ୍ଟବ୍ୟ ହେଲା ଲେଖକ ଲେଖିଲା ବେଳେ ସେ ଗାଁ ରେ ହେଇଥିବା ପ୍ରକୃତ ସତ୍ୟ କଥା ଉପରେ ଲେଖୁଛି ତେଣୁ ବିଦଗ୍ଧ ପାଠକ ମଣ୍ଡଳୀ ଙ୍କୁ ମୋର ସବିନୟ ଅନୁରୋଧ ଦୟାକରି ଲେଖକର ଶିକ୍ଷା ଦୀକ୍ଷା ଆଡକୁ ଯିବେନି |

ତେବେ ଆଉ ଗୋଟେ କଥା ବି ଶୁଣିବାକୁ ମିଳିଲା ଯେ ସେ ଗାଁ ର ଭଗିଆ ସାହୁ(ଏହା କାଳ୍ପନିକ ନାମ) ର ବାପା ଆର ପାରିକୁ ଚାଲିଗଲେ, ଭଗିଆ ସାହୁ ଯାଇ ହରିଶ୍ଚନ୍ଦ୍ର ଯୋଜନାରେ ବାପାର ସଂସ୍କାର କାର୍ଯ୍ୟ କଲା | କିନ୍ତୁ ଶୁଣିବାକୁ ମିଳୁଛି ଭଗିଆ ସାହୁ କୁଆଡେ ଦଶ ଦିନ ଗାଁ ଲୋକଙ୍କୁ ଖାଇବାକୁ ଦେଇ ଟଙ୍କା ଲକ୍ଷେ ଖର୍ଚ୍ଚ କରିଛି | ଆଶ୍ଚର୍ଯ୍ୟ ଲାଗୁନି! ଭଗିଆ ସାହୁ ସରକାରୀ ଯୋଜନାରେ ଘର ପାଇଛି, ତା ପୁଅ ସରକାରୀ ବିଦ୍ୟାଳୟ ରେ ପଢୁଛି ଗାଁ ଠୁ ଛ କିଲୋମିଟର ରେ ଯାଇ, ତା ହାଣ୍ଡି ଶାଳରେ ସରକାରୀ ଦାନା ପଡୁଛି ଟଙ୍କିକିଆ ଚାଉଳ ଆଉ ବିଜୁଳି ଆସୁ ନଆସୁ ସେଇଟା ସରକାରୀ ଯୋଜନାରେ ବିଜୁଳି ତାର ଯୋଡି ହେଇଛି ତା ଘରକୁ, ସରକାରୀ ଡାକ୍ତରଖାନା ରେ ଲମ୍ବା ଧାଡିରେ ଠିଆ ହଉଛି ମାଗଣା ଔଷଧ ପାଇଁ, ବାପା ବଞ୍ଚିଥିଲା ବେଳେ କହୁଥିଲା ତାକୁ ଟିକେ ଶ୍ରୀକ୍ଷେତ୍ର ବୁଲେଇନବାକୁ ଯେ ଭଗିଆ ସିଧା ମନା କରିଦେଲା ପଇସା ନାହିଁ କହି କିନ୍ତୁ ଲୋକ ଦେଖାଣିଆ ଲକ୍ଷେ ଖର୍ଚ୍ଚ କରିଛି ସୁଧରେ ପଇସା ଆଣି |

ଆଜ୍ଞା ଚିନ୍ତାଶୀଳ ପାଠକ ମାନେ ଏ କଥାର ମର୍ମ କୁ ଅନୁଭବ କରିବେ| ସୁଧ ରେ ପଇସା ଆଣ ଆଉ ସୁଧ ଦେବା ପାଳି ଆସିଲେ ଆଉ କାହାଠୁ ଧାର ଉଧାର କରି ସୁଧ ଦିଅ ନହେଲେ ପୁଣି କଉଠୁ ସୁଧରେ ଟଙ୍କା ଆଣି ପୂର୍ବ ଋଣ ସୁଝାହବ ସବୁବେଳେ ଏଇ ଚିନ୍ତା |ଏଇଟା ଆଜ୍ଞା ବୀରଭଦ୍ର ପୁର ଗାଁ ର ସମସ୍ୟା | ସୁଧ ରୁ ମୁକ୍ତି ନାହିଁ ତାଙ୍କୁ, ସୁଧର ପରିମାଣ ଋଣ ର ପରିମାଣ ଠୁ ଅଧିକା |

ଗାଁ ର ଯୁବ ଶକ୍ତି ପୂରା ଦିଗହୀନ ହେଇ ପଡିଛି, ନା ଅଛି ଚାକିରୀ ନା ଅଛି ରୋଜଗାର, ନା ଅଛି କିଛି କରିବାର ଇଛାଶକ୍ତି | ବୀରଭଦ୍ର ପୁର ଟୋକା ମାନେ ଏବେ ପୁରା ମଦ, ଗଞ୍ଜେଇ ରେ ଅଭ୍ୟସ୍ତ | ତାଙ୍କ ବାପା ମା ମାନେ ତାଙ୍କ ପିଲାଙ୍କ ଭବିଷ୍ୟତ ନେଇ ବିକଳ | ଆଉ ତାଙ୍କ ପର ପିଢ଼ି ଦାଦନ ଯିବାକୁ ପ୍ରସ୍ତୁତ | କେଇଟା ବଗୁଲିଆ କୁହା କୁହି ହଉଥିଲେ ଯେ ସେ ପଞ୍ଚୁଆ ଯୋଉ ବିକଟାଳ ରଡି କରୁଥିବା ଦୁଇଚକିଆ କିଣି ଗାଁରେ ଖାତିର ଝାଡୁଥିଲା ତାକୁ ବ୍ୟାଙ୍କ ରିକଭରି ଏଜେଣ୍ଟ କେଇଟା ଆସି ଛଡେଇ ନେଲେ ସେଦିନ, ବହେ ମାଡ ଖାଇଲା ତା ଖାତିର ଛାଡି ଯାଇଛି | ସୁଧ କୁ ପଇସା ଆଣି କଣ ଗୋଟେ ସେୟାର ବଜାର ରେ ପଇସା ଲଗେଇ ଗାଡ଼ି କିଣି ସେ କଣ ଆଉ ମଣିଷ ମାନୁଥିଲା! ଏବେ ଦିନରେ ଘରୁ ବାହାରୁନି | ରାତିରେ ସେଇ ମହାଦେବ ମନ୍ଦିର ପଛପଟେ ଯୋଉ କୈଳାସ ପର୍ବତ ଯିବାକୁ ରାସ୍ତା ଅଛି… ସେଇଠି ଖୋଜୁଛି ମୁକ୍ତିର ବାଟ | ଏଇଟା ତ ଥିଲା ବୀରଭଦ୍ର ପୂର ଗାଁ ର କଥା, କଣ ଆପଣ ଙ୍କ ଗାଁ ରେ ଏମିତି ହଉନି? କଣ ଆପଣ ବି ଋଣ ଜାଲ ରେ ଛନ୍ଦି ହେଇ ମୁକ୍ତିର ମାର୍ଗ ଖୋଜୁଛନ୍ତି? ମନେ ରଖନ୍ତୁ ସୁଧ ଦେବା କି ନେବା ଦୁଇଟା ଯାକ ଅପରାଧ|

ସୁଧ ଦିଆନିଆ ରେ କେବଳ ସମ୍ପର୍କ ଖରାପ ହୁଏ ତେଣୁ ଖର୍ଚ୍ଚ କଲାବେଳେ ନିଜ ଆବଶ୍ୟକତା ଅନୁଯାୟୀ ଖର୍ଚ୍ଚ କରନ୍ତୁ ଏବଂ ଲୋକଙ୍କୁ ଦେଖେଇବା ପାଇଁ ଖର୍ଚ୍ଚ କରିବାରୁ ବିରତ ହୁଅନ୍ତୁ ଆଉ ସତର୍କ ରୁହନ୍ତୁ ଯେମିତି କି ଭବିଷ୍ୟତରେ ଆପଣଙ୍କୁ ସୁଧ ଦେବାକୁ ନପଡେ | ଲେଖାଟି ଭଲ ଲାଗିଲେ ଏହାକୁ ସେୟାର କରନ୍ତୁ ନିଜ ବନ୍ଧୁ ମାନଙ୍କ ସହ ଏବଂ ନିଜର ମତାମତ କମେଣ୍ଟ ମାଧ୍ୟମରେ ପ୍ରକାଶ କରନ୍ତୁ |
ଲେଖକ : ପ୍ରଶାନ୍ତ ଦାଶ (ଆଇନଜୀବି)
ମୋ: +୯୧ ୮୨୪୯୨ ୩୯୧୦୬