ହରିଆଣା ନିବାସୀ ୟୁଟୁବର ଜ୍ୟୋତି ମାଲହୋତ୍ରାଙ୍କ ପରେ ପରେ ବୁଧବାର ଦିନ ୟୁଟୁବର ଜସବୀର ସିଂହଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ । ଅଭିଯୁକ୍ତ ଜସବୀରଙ୍କ ଘର ରୂପନଗର ଅନ୍ତର୍ଗତ ମହ୍ଲାନ ଗ୍ରାମରେ । ଜସବୀରଙ୍କ ୟୁଟୁବ୍ ଚାନେଲ ନାମ ‘ଜାନ ମହଲ’ । ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ଜସବୀର ପାକ୍ ସଂଗଠନ ପାଇଁ କାମ କରୁଥିଲେ । ବିଦେଶରେ ବସବାସ କରୁଥିବା ବହୁ ସନ୍ଦିଗ୍ଧ ଭାରତୀୟଙ୍କ ତାଙ୍କର ସଂପର୍କ ଥିଲା ।
ଶୁଣିବାକୁ ମିଳିଛି, ଜସବୀର ପାକ୍ ନାଗରିକ ଏହସାନ୍ ଉର–ରହିମ ଓରଫ ଡାନିସ୍କୁ ଦିଲ୍ଲୀରେ ଆୟୋଜିତ ପାକିସ୍ତାନ ଜାତୀୟ ଦିବସ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରିଥିଲା ।
ପାକିସ୍ତାନ ସେନା ଅଧିକାରୀଙ୍କ ସହିତ ଅଭିଯୁକ୍ତ ଜସବୀର ଏକାଧିକ ବାର କଥା ହୋଇଛି । ଜସବୀର ୨୦୨୦, ୨୦୨୧ ଓ ୨୦୨୪ ମସିହାରେ ପାକିସ୍ତାନ ଗସ୍ତ କରିଥିବାର ପ୍ରମାଣ ପଞ୍ଜାବ ପୁଲିସ ହାତରେ ପଡ଼ିସାରିଛି । ତାଙ୍କ ନିକଟରୁ ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ମିଳିଛି ଯୋଉଥିରେ ବହୁ ପାକ୍ ନାଗରିକଙ୍କ ଫୋନ୍ ନମ୍ବର ରହିଛି ।