ମଧ୍ୟପ୍ରଦେଶ ଜିଲ୍ଲାର ସାଗର ଅଂଚଳରେ କାର୍ଯ୍ୟରତ ଲେଫ୍ଟନାଂଟ କର୍ଣ୍ଣେଲ ପ୍ରଦୀପ ନିଗମଙ୍କ ଖୋଜଖବର ନାହିଁ । ସେନା, ପୁଲିସ ଓ ଗୁପ୍ତଚର ସଂସ୍ଥାର ବିଚକ୍ଷଣ ଅଧିକାରୀମାନେ ତାଙ୍କ ପଛରେ ପଡ଼ି ଯାଇଛନ୍ତି । ନିଗମ ନିଜେ ନିଜକୁ କୋଉଠି ଲୁଚାଇ ରଖିଛନ୍ତି କି ତାଙ୍କୁ କୌଣସି ଗୋଷ୍ଠୀ ଅପହରଣ କରି ନେଇଛନ୍ତି । ପାରିବାରିକ ବିବାଦ ଅବା କାର୍ଯ୍ୟକ୍ଷେତ୍ରରେ କୌଣସି ବିବାଦ କାରଣରୁ ସେ ଏଭଳି ଅପସରି ଯାଇଛନ୍ତି, ତାହା ଜାଣିବା ଜରୁରୀ ହୋଇପଡ଼ିଛି । ଗ୍ୱାଲିୟର ନିବାସୀ ଲେଫ୍ଟନାଂଟ ନିଗମଙ୍କୁ ଶେଷଥର ପାଇଁ ଜୁନ ୨ ତାରିଖ ଦିନ ଡ୍ୟୁଟି ସ୍ଥାନରେ ଦେଖିବାକୁ ମିଳିଥିଲା ।
ସକାଳ ପ୍ରାୟ ସାଢ଼େ ୬ଟାରେ ସାଗରସ୍ଥିତ ସେନା ଶିବିରରୁ ବାହାରି ଚାଲି ଚାଲି ଯାଉଥିଲେ । ତା’ ପରଠାରୁ ତାଙ୍କର ଖୋଜଖବର ମିଳୁନି । ସକାଳ ପିଟି ସେସନ୍ରେ ତାଙ୍କର ଅନୁପସ୍ଥିତି ପ୍ରତି ପ୍ରଶ୍ନ କରିଥିଲେ ତାଙ୍କର ସହକର୍ମୀ । ଅନ୍ୟ ଯବାନମାନେ କ୍ୟାଂଟନମେଂଟ ଅଂଚଳକୁ ଖେଦି ଯାଇଥିଲେ, ମାତ୍ର ତାଙ୍କର ଦେଖା ମିଳିଲାନି । ବେଶ କିଛି ଘଂଟା ବିତିଯିବା ପରେ ସୁଦ୍ଧା ଦେଖା ଦର୍ଶନ ମିଳି ନଥିଲା । ଅନ୍ୟ ଉପାୟ ନପାଇ କ୍ୟାଂଟନମେଂଟ ଥାନାରେ ନିଗମଙ୍କ ନିଖୋଜ ଏଫ୍ଆଇଆର୍ ଦାଖଲ କରିଥିଲା ସେନା ।