ଚୁଲିକୁ ଗଲା ମଣିଷପଣିଆ: ବୁଦ୍ଧିବିବେକ ହରାଇ ଦଳିଚକଟି ହୋଇ ମରିଯିବା ଶ୍ରେୟସ୍କର!

ବୁଧବାର ଦିନ ଚେନାସ୍ୱାମୀ ଷ୍ଟାଡିୟମ ବାହାରେ ଆଇପିଏଲ୍ ବିଜେତା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଖେଳାଳିଙ୍କ ପାଇଁ ସମ୍ବର୍ଦ୍ଧନା ଆୟୋଜନ କରାଯାଇଥିଲା । ବିଜୟୀ ଖେଳାଳିଙ୍କୁ ଦେଖିବା ପାଇଁ ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ଅସମ୍ଭାଳ ଭିଡ଼ ପରେ ଦଳାଚକଟା ପରିସ୍ଥିତିକୁ ସ୍ୱାଗତ କରିଥିଲା । ଠେଲାପେଲାର ଶିକାର ହୋଇ କିଛି ଲୋକ ତଳେ ପଡ଼ିଗଲେ, ସେମାନଙ୍କୁ କୁଦି ପକାଇଲେ ଅନ୍ୟ ଲୋକମାନେ ।

ସବୁଠାରୁ ବୁଦ୍ଧିମାନ ପ୍ରାଣୀର ପରିଚୟ ବହନ କରିଥିବା ଏ ମଣିଷ ଜାତିଟା ଏତେମାତ୍ରାରେ ଅନ୍ଧ ହୋଇଯାଇଛି । ତାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସର ଆବଶ୍ୟକତା ପଡୁଛି । ବିନା ଟ୍ରାଫିକ୍ ପୁଲିସରେ ଆମ ପକ୍ଷରେ ରାସ୍ତା ଅତିକ୍ରମ କରିବା ସମ୍ଭବ ହୋଇପାରୁନି । ପୁଲିସ କର୍ମଚାରୀ ବିନା ଟିକେଟ୍ କାଉଂଟରରୁ ଟିକେଟ୍ କିଣିବା ଆମ ପକ୍ଷେ ମୁସ୍କିଲ ।

ଚେନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇ ୧୧ ଜଣ ଲୋକ ଜୀବନ ହରାଇଲେ । ସଂପୃକ୍ତ ମାମଲାକୁ ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟ ବିଦାରକ ମଣି କର୍ଣ୍ଣାଟକ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ବିଚାର ପ୍ରକ୍ରିୟା ଆରମ୍ଭ କରିଛି । ମାତ୍ର ଆମେ ମଣିଷ ମାନେ ଏକମନ ହୋଇ ନିଜକୁ ଶୃଙ୍ଖଳାର ସହିତ ପରିଚାଳନା କରିପାରିବାନି? ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ମାମଲାର ବିଚାର କରୁଛନ୍ତି । କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଶଶିକିରନ ସେଟ୍ଟୀ ଖଣ୍ଡପୀଠ ନିକଟରେ ହାଜର ହୋଇ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ରାଜି ବୋଲି କହି ସାରିଛନ୍ତି ।