ସତ୍ୟ ହୋଇଥିଲେ ସାଂଘାତିକ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ପଛରେ ଆମେରିକା ଷଡ଼ଯନ୍ତ୍ର!

ଆମେରିକା ବୋଇଂ କମ୍ପାନୀ ନିର୍ମିତ ଡ୍ରିମ୍ ଲାଇନର୍ ଏକ ଉଚ୍ଚମାନର ବିମାନ ହୋଇପାରେ । ମାତ୍ର ଗୁଜୁରାଟର ଅହମଦାବାଦରେ ଯୋଉଭଳି ଭାବେ ଦୁର୍ଘଟଣାଗ୍ରସ୍ତ ହେଲା । ତାହା ଡ୍ରିମ୍ ଲାଇନର୍ ବିମାନର ବିଶ୍ୱସନୀୟତା ଓ ଲୋକପ୍ରିୟତାକୁ କ୍ଷତିଗ୍ରସ୍ତ କରିଛି । ବିମାନ ଦୁର୍ଘଟଣା ପଛରେ କାହାକୁ ଦାୟୀ କରିଦେଲେ, ପ୍ରାଣ ହରାଇଥିବା ଲୋକମାନେ ଜୀବନ ଫେରି ପାଇବେନି । ଶୋକସନ୍ତପ୍ତ ପରିବାର ମୁହଁରେ ହସ ଫେରିବନି । କିନ୍ତୁ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆଗାମୀ ଭାରତ ପାଇଁ ଏକ ଚେତାବନୀ ଭଳି କାମ କରିବ । ଡ୍ରିମ୍ ଲାଇନର୍ ଦୁର୍ଘଟଣା ପରେ ବୋଇଂ କମ୍ପାନୀର ଜାତୀୟ ଓ ଅନ୍ତର୍ଜାତୀୟ ଲୋକପ୍ରିୟତା ହରାଇବା ଆରମ୍ଭ କରିଛି ।

୨୦୨୩ରେ ଜର୍ଜ ବର୍ନେଟ୍ ନାମକ ଜଣେ ବ୍ୟକ୍ତି ଆମେରିକାର ଏକ ଅଦାଲତରେ ବୋଇଂ କମ୍ପାନୀ ବିରୋଧରେ ଏକ ପିଟିସନ୍ ଦାଖଲ କରିଥିଲେ । ଉକ୍ତ ପିଟିସନ୍‌ରେ ସେ ବୋଇଂ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ବିମାନଗୁଡ଼ିକରେ ନିମ୍ନମାନର ଯନ୍ତ୍ରପାତି ବ୍ୟବହାର କରାଯାଉଥିବା ବିଷୟ ଉଲ୍ଲେଖ କରିଥିଲେ । କୋର୍ଟରେ ବୋଇଂ ବିରୋଧରେ ସାକ୍ଷ୍ୟ ଦେବାର ତିନିଦିନ ପରେ ବର୍ନେଟ୍‌ଙ୍କର ମୃତଦେହ ପୁଲିସ ଦୃଷ୍ଟିରେ ପଡ଼ିଥିଲା । ବର୍ନେଟ୍‌ଙ୍କ ଘରୁ ଆମେରିକା ପୁଲିସ ଏକ ଡାଏରୀ ଜବତ କରିଥିଲା, ଉକ୍ତ ଡାଏରୀରେ ବର୍ନେଟ୍ ଲେଖିଥିଲେ, ଅଧିକ ମୁନାଫା ଆଶାରେ ବୋଇଂ କମ୍ପାନୀ ସରକାରୀ ନୀତିନିୟମକୁ ଉଲ୍ଲଙ୍ଘନ କରୁଛି ଯାହାର ପରିଣାମ ଅତ୍ୟନ୍ତ ଭୟାବହ ହେବ । ବୋଇଂ କମ୍ପାନୀର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଆମେରିକାକୁ ବିଶ୍ୱ ଦରବାରରେ ନିନ୍ଦିତ ହେବାକୁ ପଡ଼ିବ ।

ବର୍ନେଟ୍‌ଙ୍କ ଲିଖିତ ପ୍ରତିଟି ଶବ୍ଦ ଯଦି ସତ ହୋଇଥାଏ । ତେବେ ବୋଇଂ କମ୍ପାନୀ ଏୟାର ଇଣ୍ଡିଆକୁ ନିମ୍ନମାନର ଡ୍ରିମ୍ ଲାଇନର୍ ବିକି ଯାତ୍ରୀଙ୍କ ଜୀବନ ସହିତ ଖେଳିଛି ବୋଲି ଧରିନେବାକୁ ହେବ । ଗୋଟିଏ ଡ୍ରିମ୍ ଲାଇନର୍‌କୁ ପ୍ରାୟ ୧୩୦୦ କୋଟି ଟଙ୍କା ବିନିମୟରେ କିଣି ବଦନାମ ମୁଣ୍ଡାଇଲା ଏୟାର ଇଣ୍ଡିଆ ।

ଶୁଣିବାକୁ ମିଳୁଛି, ଜଣେ ଆଗଧାଡ଼ିର ସାଇବର ହ୍ୟାକର୍ ବୋଇଂ ବିମାନର ଇଲେକ୍‌ଟ୍ରୋନିକ୍‌ସ ସିଷ୍ଟମକୁ ସହଜରେ ହ୍ୟାକ୍ କରିପାରିବ । ବିଶେଷ କରି ବୋଇଂ ଉଡାଣ ଓ ଅବତରଣ ସମୟରେ ବିମାନ ଘାଟିର ଆଖପାଖରେ ରହି ହ୍ୟାକ୍ କରିହେବ । ବୋଇଂର ଇଲେକ୍‌ଟ୍ରୋନିକ୍ସ ସିଷ୍ଟମକୁ ହ୍ୟାକ୍ କରି ହ୍ୟାକର ତା’ ଇଛାରେ ବିମାନର ଗତିପଥ ବଦଳାଇ ପାରିବ । ବିମାନର ଅଗ୍ରଭାଗକୁ ଉପର ତଳ କରି ପାଇଲଟ୍‌କୁ ଅଡୁଆରେ ପକାଇ ପାରିବ । ସହଜ ଭାଷାରେ କହିଲେ, ବିମାନକୁ ସହଜରେ ଦୁର୍ଘଟଣାଗ୍ରସ୍ତ କରିପାରିବ ।

ଇଣ୍ଡୋନେସିଆ ଓ ଇଥିଓପିଆ ବୋଇଂ ବିମାନ ଦୁର୍ଘଟଣାକୁ ତଦନ୍ତ କରିଥିବା ବୋଇଂ କମ୍ପାନୀର ବୈଷୟିକ ଟିମ୍ ହ୍ୟାକରଙ୍କ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେଇଥିଲା । ଇଣ୍ଡୋନେସିଆର ଜାଭାରେ ଦୁର୍ଘଟଣାଗ୍ରସ୍ତ ବିମାନଟି ପାଇଲଟ୍‌ଙ୍କ ନିର୍ଦ୍ଦେଶ ମାନି ନଥିଲା ଯାହା ଅହମଦାବାଦ ଡ୍ରିମ୍ ଲାଇନର୍ କ୍ଷେତ୍ରରେ ହୋଇଚି । ସଂକ୍ଷେପରେ କହିଲେ, ବୋଇଂ କମ୍ପାନୀ ପକ୍ଷରୁ ବ୍ୟବହାର କରାଯାଉଥିବା ନିମ୍ନମାନର ଯନ୍ତ୍ରପାତି ସଂପର୍କରେ ଆମେରିକା ପ୍ରଶାସନ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭଲ ଭାବରେ ଅବଗତ ଥିବେ ନିଶ୍ଚିତ । ଏହି ଆଲେଖ ଜରିଆରେ ଆମେ ଆଶଙ୍କା ପ୍ରକାଶ କରିଛୁ ମାତ୍ର ।