ରଜ ପାଇଁ ହସୁଛି ଓଡ଼ିଶାର ପୁରପଲ୍ଲୀ: ସବୁରି ମୁହଁରେ ‘ବରଷକେ ଥରେ ଆସିଛି ରଜ’

ଆରମ୍ଭ ହୋଇଛି ତିନିଦିନିଆ ରଜ ପର୍ବ । ପ୍ରଥମ ଦିନଟି ପହିଲି ରଜ । ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି । ତୃତୀୟ ଦିନ ଭୂମି ନଅଁଣ । ହିନ୍ଦୁ ପରମ୍ପରା ଅନୁସାରେ ମା’ ବସୁନ୍ଧରା ତିନିଦିନ ପାଇଁ ରଜୋବତୀ ହେଉଥିବା କାରଣରୁ ଏହି ଦିନଗୁଡ଼ିକରେ ମାଟି ଖୋଳିବା, ଗଛ ଲଗାଇବା, ଚାରା ରୋପଣ, କୁମାରୀ କନ୍ୟାମାନେ ମାଟିରେ ପାଦ ଲଗାଇ ଚାଲିବା ପ୍ରତି ବାରଣ କରାଯାଇଛି ।

ରଜ ଉତ୍ସବଟି ଯଦିଓ ମା’ ଝିଅ ବୋହୂ କୁମାରୀଙ୍କ ପର୍ବ । ତଥାପି ରଜପର୍ବଟି ସବୁ ବର୍ଗର ଲୋକଙ୍କ ପାଇଁ ପ୍ରିୟ । ଗ୍ରାମାଂଚଳରେ ଯୁବକମାନେ ଗାଁ ପଡ଼ିଆରେ କବାଡ଼ି, କ୍ରିକେଟ୍‌, ବାଗୁଡ଼ି ଖେଳରେ ମାତନ୍ତି । ଦଳ ଦଳ ହୋଇ କୁମାରୀ ଝିଅମାନେ ଗାଁ ଗଣ୍ଡାରେ ଲଗା ଯାଇଥିବା ଦୋଳିରେ ଝୁଲନ୍ତି । ଦୋଳି ନିକଟକୁ ଯିବା ପୂର୍ବରୁ ଝିଅମାନେ ପ୍ରତ୍ୟୁଷରୁ ଗାଧୁଆ ପାଧୁଆ ସାରି ପାଦରେ ଅଳତା, ମଥାକୁ ଚନ୍ଦନ ଓ କୁଙ୍କୁମରେ ସଜାନ୍ତି, ନାଲି ଟିକିଲି ଲଗାନ୍ତି । ଆଖିରେ କଜଳ ଗାର ସହିତ ନାକ, କାନ, ବେକ, ହାତ, ପାଦରେ ସୁନାରୂପା ଗହଣା ପିନ୍ଧନ୍ତି । ନୂଆ ପୋଷାକ ପିନ୍ଧନ୍ତି । ଶରୀରରେ ଅତର ପକାନ୍ତି । ଏହି ତିନିଦିନ ଝିଅଙ୍କୁ ଘରକାମ ପାଇଁ ବାରଣ କରାଯାଇଥାଏ ।

ପ୍ରାୟ ସବୁ ଜାତିର ଝିଅବୋହୁ ମା’ ମାଉସୀମାନେ ରଜ ପର୍ବ ପାଳନ କରିଥାନ୍ତି । ମା’ ବସୁଧାକୁ ତିନିଦିନ ପାଇଁ ସଂପୂର୍ଣ୍ଣ ବିଶ୍ରାମ କରନ୍ତି । ତେଣୁ ଚାଷୀମାନେ ତିନିଦିନ ପାଇଁ ଚାଷକାମ ବନ୍ଦ କରନ୍ତି । ରଜପର୍ବରେ ଘରେ ଘରେ ମୁଖ୍ୟତଃ ପୋଡପିଠା ଦେଖିବାକୁ ମିଳିଥାଏ । ତା’ ସାଙ୍ଗକୁ ଚକୁଳି, ମଣ୍ଡା, ଆରିସା, କାକରା ପିଠା ମଧ୍ୟ କରାଯାଏ ।

ବର୍ଷାଋତୁର ପହିଲି ଚରଣରେ ରଜ ଆସର ବେଶ ଜମିଯାଏ । ଗ୍ରୀଷ୍ଣଋତୁରେ ସୂର୍ଯ୍ୟଙ୍କ ପ୍ରଖର କିରଣ ପ୍ରଭାବରେ ବେସୁରା ହୋଇଯାଏ ବସୁଧା । ଗଡ଼ିଆ ପୋଖରୀ ନଦୀ ନାଳ ଶୁଖିଲା ପଡ଼ିଯାଏ । ପଶୁପକ୍ଷୀ, ମଣିଷ ପ୍ରାୟ ସମସ୍ତେ ଜଳାଭାବ ଅନୁଭବ କରନ୍ତି । ସମସ୍ତେ ଚାତକ ଭଳି ଆକାଶକୁ ଅନାଇ ରହନ୍ତି । ରଜ ମଉଜ ଜରିଆରେ ବର୍ଷାକୁ ସ୍ୱାଗତ କରନ୍ତି । ରାଜ୍ୟ ସରକାରଙ୍କ ପାଣିପାଗ ବିଭାଗ ସୂଚନାନୁସାରେ ଭୂମି ନଅଁଣ ଦିନ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବ ।