ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାୟ ୧୯ ହଜାର କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ଭିତରୁ କିଛି ପ୍ରକଳ୍ପର ଶିଳାନ୍ୟାସ ଓ କିଛି ପ୍ରକଳ୍ପର ଲୋକାର୍ପଣ କରିପାରନ୍ତି । ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦରରୁ ପାଛୋଟି ନେବା ପାଇଁ ସୁସଜ୍ଜିତ ଗାଡ଼ି ରହିଛି । କଳିଙ୍ଗ ଷ୍ଟାଡିୟମରୁ ବିଶାଳ ରୋଡ୍ ସୋ’କୁ ଦେଖିବେ ପ୍ରାୟ ୨ ଲକ୍ଷ ଲୋକ । ୨ ଘଂଟାର ରହଣି ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଘଡ଼ିଏ ଫୁରୁସତ ମିଳିବନି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ଦେଖି କଟକ ଓ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସବୁ ସରକାରୀ ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନ ପାଉଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି ।
ମହାମାନବଙ୍କ ମୁହଁ ଦେଖିବା ପାଇଁ ଆଗ୍ରହୀ ସରକାରୀ ଅଧିକାରୀଙ୍କ ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଶୁକ୍ରବାର ଦିନ ମଧ୍ୟାହ୍ନ ବିରତି ପରଠାରୁ ସବୁ ସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବ । ଏପରିକି ମାଜିଷ୍ଟ୍ରେଟ କୋର୍ଟଗୁଡ଼ିକ ମଧ୍ୟ ଛୁଟି ପାଳନ କରିବେ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ସଫଳ କରିବା ପାଇଁ ଦଳ ଓ ସରକାରଙ୍କ ପକ୍ଷରୁ ନାନା ଆୟୋଜନ କରାଯାଇଛି ।