ଡରାଇଲା ମସ୍କଙ୍କ ଷ୍ଟାରସିପ୍-୩୬ ରକେଟ୍: ଧୂଆଁମୟ କଲା ଆକାଶ, ଥରିଗଲା ଝରକା

ମହାକାଶକୁ ଜିତିବା ଉଦେ୍ଦଶ୍ୟରେ ଆମେରିକାର ଜଣାଶୁଣା ବ୍ୟବସାୟୀ ଏଲନ୍ ମସ୍କ ଆରମ୍ଭ କରିଥିଲେ ଷ୍ଟାରସିପ୍-୩୬ । ପୃଥିବୀ ପୃଷ୍ଠରେ ବସବାସ କରୁଥିବା ଲୋକଙ୍କୁ ମହାକାଶ ବୁଲାଇ ଆଣିବା ତାଙ୍କର ଆଉ ଗୋଟିଏ ମହତ୍ ବ୍ୟବସାୟ । ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ଷ୍ଟାରସିପ୍-୩୬କୁ ମହାକାଶକୁ ନେବା କାମରେ ନିୟୋଜିତ ଏକ ରକେଟ୍ ପରୀକ୍ଷଣ କରାଯାଉଥିଲା । କୌଣସି କାରଣରୁ ତାହା ହଠାତ୍ ଭୟଙ୍କର ବିସ୍ଫୋରଣ କରିଥିଲା । ପରୀକ୍ଷଣ ସ୍ଥାନ ଓ ତା’ର ଆଖପାଖ ଅଂଚଳ ଘନ କଳାଧୂଆଁରେ ଭରି ଯାଇଥିଲା ।

ଟେକ୍ସସରେ ପ୍ରତିଷ୍ଠିତ ଷ୍ଟାରବେସରୁ ଆକାଶ ମଣ୍ଡଳକୁ ଖେଦି ଯାଉଥିବା କଳାଧୂଆଁ ବହୁତ ଦୂର ଯାଏ ଦିଶୁଥିଲା । ନଷ୍ଟ ହୋଇଯାଇଥିବା ରକେଟ୍ ବଳରେ ଜୁନ ୨୯ ତାରିଖ ଦିନ ମହାକାଶକୁ ଯାଇଥାନ୍ତା ଷ୍ଟାରସିପ୍-୩୬ ।

ଏଠାରେ ଜଣାଇ ଦିଆଯାଉଛି, ସାଧାରଣତଃ ରକେଟ୍ଟିକୁ ତିଆରି କରିବା ପରେ ତାକୁ ଭୂମିରେ ରଖି ତା’ର ଇଞ୍ଜିନ ପରୀକ୍ଷଣ କରାଯାଇଥାଏ । ବିଶେଷଜ୍ଞଙ୍କ ସୂଚନା ମୁତାବକ ପରୀକ୍ଷଣ ପୂର୍ବରୁ ରକେଟ୍ଟିର ଶୀର୍ଷଭାଗରେ ଥିବା ଇନ୍ଧନ ଟାଙ୍କି କୌଣସି କାରଣରୁ ବିସ୍ଫୋରଣର ଶିକାର ହୋଇଗଲା, ଦେଖୁ ଦେଖୁ ପୁରା ରକେଟ୍ ନିଆଁ ପିଣ୍ଡୁଳାରେ ପରିଣତ ହୋଇଗଲା । ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ଆଖପାଖ ଇଲାକାରେ ରହିଥିବା କୋଠାଗୁଡ଼ିକର ଝରକା ଓ କବାଟ ଖିଡ଼ିକି ଥରି ଉଠିଥିଲା ।