ଏତେ ସହଜ ନୁହେଁ ଇରାନ୍ ଫୋର୍ଡୋ ପରମାଣୁ ଶକ୍ତି ଭଣ୍ଡାର ନଷ୍ଟ କରିବା

ଇରାନ୍-ଇସ୍ରାଏଲ ଯୁଦ୍ଧ କ୍ରମେ ଭୟଙ୍କର ଆଡକୁ ଗତି କରୁଛି । ତା’ରି ଭିତରେ ଇରାନର ଫୋର୍ଡୋ ପରମାଣୁ ଶକ୍ତି ଭଣ୍ଡାର ଉପରେ କଡ଼ା ନଜର ରଖିଛନ୍ତି ସାରା ବିଶ୍ୱବାସୀ । ଇସ୍ରାଏଲ୍ ଯେତେ ଚେଷ୍ଟା କରୁଛି, ସେହି ପରମାଣୁ ଶକ୍ତିକେନ୍ଦ୍ରକୁ ଭେଦ କରିପାରୁନି । ଇସ୍ରାଏଲର ସବୁ ମିଶାଇଲ ଫୋର୍ଡୋ ପରମାଣୁ କେନ୍ଦ୍ର ନିକଟରେ ଫେଲ୍ ମାରୁଛି । ତା’ର କାରଣ କ’ଣ ହୋଇପାରେ ?

ପ୍ରକୃତ କଥା ହେଉଛି, ଇରାନର ଫୋର୍ଡୋ ପରମାଣୁ ଶକ୍ତିକେନ୍ଦ୍ରଟି ପୃଥିବୀ ପୃଷ୍ଠରୁ ପ୍ରାୟ ୨୯୫ ଫୁଟ୍ ଗଭୀରତମ ପ୍ରଦେଶରେ ନିର୍ମାଣ କରାଯାଇଛି । ପ୍ରଥମ ହମ୍ଲା ପରଠାରୁ ଇସ୍ରାଏଲ୍ ଲଗାତର ଚେଷ୍ଟା କରୁଛି । କିନ୍ତୁ ପ୍ରତିଥର ଫେଲ୍ ମାରୁଛି । ଇରାନର ପ୍ରଥମ ପରମାଣୁ କେନ୍ଦ୍ରଟି ନତାଂଜରେ ଅଛି । ଯୁକ୍ତରାଷ୍ଟ୍ର ଆମେରିକା ତିଆରି ଜିବିଏସ୍-୫୭ ମାସିଭ୍ ଆର୍ଡନେନ୍ସ ପେନେଟ୍ରେଟର୍ ବଙ୍କର-ବଷ୍ଟର ବମ୍ ଭିତରୁ କେତୋଟି ପକାଇଲେ ଫୋର୍ଡୋ ପରମାଣୁ ଶକ୍ତି ଭଣ୍ଡାର ନଷ୍ଟ ହୋଇଯିବ, ତାହା କଳନା କରିବା ସାଧ୍ୟାତୀତ ।

ସେତିକି ନୁହେଁ, ୟୁଏସ୍ ନିର୍ମିତ ଜିବିଏସ୍-୫୭ ମାସିଭ୍ ଆର୍ଡନେନ୍ସ ପେନେଟ୍ରେଟର୍ ବଙ୍କର-ବଷ୍ଟର ବୋମାକୁ ଧାରଣ କରି ଆକାଶକୁ ନେଇଯିବାର କ୍ଷମତା କେବଳ ବି-୨ ଷ୍ଟେଲ୍ଥ ଫାଇଟର ପକ୍ଷେ ସମ୍ଭବ ।