ହିନ୍ଦୁଧର୍ମରେ ପୂଜିତ ଦେବତା ଦେବୀମାନଙ୍କ ସଂପର୍କରେ କିଛି ବି ମନଗଢ଼ା କଥା ନାହିଁ । ‘ଯାହାର ମନ ଯେଡ଼େ ତା’ର ପ୍ରଭୁ ସେଡ଼େ’ । ଭକ୍ତର ମନକଥା ଜାଣି ଆମ ପ୍ରଭୁ ସେହଭଳି ବିସ୍ମୟ ରଚନା କରିଥାନ୍ତି । କୋଉଠି ପଥର ପ୍ରତିମା ଖିର ପିଉଛି ତ କୋଉଠି ପଥର ଭାସୁଛି । କୋଉଠି ନଦୀର ପାଣି ରଜୋବତୀ ନାରୀ ପରି କିଛି ଦିନ ପାଇଁ ଲାଲ ହୋଇଯାଉଛି ତ କୋଉଠି ପ୍ରସ୍ତର ପ୍ରତିମା ଶୂନ୍ୟରେ ଝୁଲନ୍ତା ଅବସ୍ଥାରେ ରହିଯାଉଛି ।
ଜାଣନ୍ତି କି? ଓଡ଼ିଶାର ଚାରୁକଳା ଓ କାରୁକଳା ଏତେ ଉଚ୍ଚକୋଟିର ଥିଲା, ତା’ର ଆଦି ଓ ଅନ୍ତ ଠଉରାଇବା ଆଜିର ସ୍ଥପତିଙ୍କ ପାଇଁ ଏକ ଆହ୍ୱାନ ହୋଇ ରହିଯାଉଛି । ରାଜା ନରସିଂହ ଦେବଙ୍କ ଅମଳରେ ୧୨୪୩-୧୨୫୫ ଭିତରେ କୋଣାର୍କରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଯାଇଥିଲା ।
କୋଣାର୍କ ମନ୍ଦିରଟିର ଯୋଉ ଭାଗ ଆମ ଆଖିରେ ଦିଶୁଛି, ତାହା ମୁଖଶାଳା । ମୂଳ ମନ୍ଦିରଟିର ଚୂଡ଼ାଦେଶରେ ଦଧିନଉତି ଭାବେ ବସା ଯାଇଥିବା ପଥରଟି ଏକ ବିରାଟ ପ୍ରାକୃତିକ ଚୁମ୍ବକ ଥିଲା । ସେହି ଚୁମ୍ବକଟିକୁ ଏଭଳି ଭାବେ ସ୍ଥାପନ କରାଯାଇଥିଲା ଯେ ଗର୍ଭଗୃହରେ ପୂଜା ପାଉଥିବା ସୂର୍ଯ୍ୟ ଦେବତାଙ୍କ ପ୍ରତିମାଟି ଆସ୍ଥାନଠାରୁ କିଛି ଫୁଟ ଉଚ୍ଚରେ ଶୂନ୍ୟରେ ଝୁଲି ରହୁଥିଲା ।
ଉଦୟ ସୂର୍ଯ୍ୟର ପହିଲି କୋମଳ କିରଣ ଗର୍ଭଗୃହରେ ଝୁଲି ରହିଥିବା ସୂର୍ଯ୍ୟ ଦେବତାଙ୍କ ଉପରେ ପଡୁଥିଲା । ସୂର୍ଯ୍ୟଙ୍କ ଲୌହ ପ୍ରତିମାଟି ଚୁମ୍ବକ ପଥରରେ ତିଆରି ଦଧିନଉତି ପ୍ରଭାବରେ ଦୋଳାୟମାନ ଅବସ୍ଥାରେ ରହୁଥିଲା ।
ଏବେ ସେହି ପ୍ରତିମାଟି ଭଗ୍ନ ଅବସ୍ଥାରେ ଅଛି । ମାତ୍ର ତାକୁ ଶୂନ୍ୟରେ ଝୁଲାଇ ରଖିଥିବା ଚୁମ୍ବକୀୟ ଦଧିନଉତି ନାହିଁ ।