କ୍ରିକେଟ୍ ବଲ ଖୋଜିବାକୁ ଯାଇ ନରକଙ୍କାଳ ହାବୁଡ଼ରେ ପଡ଼ିଗଲା ନାବାଳକ

Hyderabad man shockingly finds human skeleton

ହାଇଦ୍ରାବାଦର ନାମପଲ୍ଲୀ ଅଂଚଳର ଘଟଣା । ଜଣେ ନାବାଳକ କ୍ରିକେଟ୍ ବଲ ଖୋଜିବାକୁ ଯାଇ ଗୋଟିଏ ପରିତ୍ୟକ୍ତ ଘର ଭିତରେ ପଶିଥିଲା । ମାତ୍ର ଦେଖିଲା କ’ଣ? କ୍ରିକେଟ୍ ବଲଟି ଗୋଟିଏ ନରକଙ୍କାଳ ନିକଟରେ ପଡ଼ିଥିଲା । ଘରଟି ଭିତର ପଟୁ ବନ୍ଦ ଥିଲା । କଙ୍କାଳଟିକୁ ଦେଖିବା ମାତ୍ରେ ପିଲାଟି ଭୀଷଣ ଭାବେ ଡରି ଯାଇଥିଲା । ବଡ଼ ପାଟିରେ ଡାକ ପକାଇଲା । ଲୋକମାନେ ତା’ର ଡାକ ଶୁଣି ଧାଇଁ ଆସିଲେ ।

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଗଲା । କବାଟ ଭାଙ୍ଗି ପୁଲିସ ଘର ଭିତରେ ପଶିଲା । ଘର କହିଲେ ଗୋଟିଏ ବଖରା, ସେହି ବଖରାକୁ ଲାଗି ରହିଥିଲା ରୋଷେଇ ଘର । ରୋଷେଇ ଘରେ ଲୋକଟି ମରି ଯାଇଥିଲା ।

ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି, ୨୦୧୫ ମସିହାରୁ ଜଣେ ମଧ୍ୟ ବୟସ୍କ ଲୋକଟିଏ ଏକୁଟିଆ ସେହି ଘରେ ରହି ଆସୁଥିଲା । ଲୋକଟିର କେହି ସଂପର୍କୀୟ ନଥିବାରୁ ତା’ର ଅକାଳ ମୃତୁ୍ୟ ଖବର କାହା ନିକଟରେ ନଥିଲା । କାଳକ୍ରମେ ଲୋକଟିର ମୃତଦେହଟି ପଚିସଢ଼ି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । କେବଳ କଙ୍କାଳଟି ପଡ଼ି ରହିଥିଲା ।

କଙ୍କାଳ ନିକଟରେ ଗୋଟିଏ ମୋବାଇଲ ଫୋନ୍ ପଡ଼ିଥିଲା । ମୋବାଇଲ ଫୋନ୍ଟି କୋଉ ଦିନଠାରୁ ବନ୍ଦ ହୋଇଯାଇଥିଲା । ପୁଲିସ ମୋବାଇଲ ଫୋନ୍ଟିର ଡିଭାଇସ୍କୁ ଯାଂଚ କରିବାରୁ ସେଥିରେ ୮୦ଟି ମିସ୍ କଲ କରାଯାଇଥିବାର ଜଣାପଡ଼ିଥିଲା । ପୁଲିସ କଂଟାକ୍ଟ ନମ୍ବରକୁ କଲ୍ କରିବାରୁ ମୃତ ଲୋକଟିର ସଂପର୍କୀୟମାନେ ପହଂଚିଥିଲେ । ମୃତ ଲୋକଟି ସହିତ ପରିଜନଙ୍କର ଦୀର୍ଘ ଦିନ ଧରି  ସଂପର୍କ ନଥିଲା । ଲୋକଟି ଏକୁଟିଆ ରହୁଥିବାରୁ ତା’ର ନିଖୋଜ ସୂଚନା କେହି ଥାନାକୁ ଜଣାଇ ନଥିଲେ ।