କେନ୍ଦୁଝର ଝିଅ ଭବାନୀଙ୍କୁ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ପରିଦର୍ଶନ ସୁଯୋଗ

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଶୀର୍ଷ ୩୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମନୋନୀତ ହୋଇଥିଲେ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଗୁଆଲି ଗ୍ରାମର ବାସିନ୍ଦା ଓ କାଟେସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଶ୍ରେଣୀ ଛାତ୍ରୀ ଭବାନୀ ବାଙ୍କୁଲା ନିଜ ଗାଁ ଏବଂ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ରାଜ୍ୟସ୍ତରୀୟ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୨୪ରେ ଭାଗ ନେଇ ଶୀର୍ଷ ୩୦ ବିଜେତାଙ୍କ ମଧ୍ୟରେ ସ୍ଥାନ ପାଇବା ସହ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂସ୍ଥା) ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି ଭବାନୀ ।

ଏହି କାର୍ଯ୍ୟକ୍ରମରେ ବିଜେତାମାନଙ୍କ ମଧ୍ୟରେ ସ୍ଥାନ ପାଇଥିବା ଭବାନୀଙ୍କୁ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଟେଲିମେଟ୍ରି ଟ୍ରାକିଂ ଏବଂ କମାଣ୍ଡ ନେଟୱର୍କ (ଇସଟ୍ରାକ) ଏବଂ ୟୁ ଆର ରାଓ ସାଟେଲାଇଟ୍ ସେଣ୍ଟର (ୟୁଆରଏସସି) ପରିଦର୍ଶନ କରିବାର ସୁଯୋଗ ମିଳିଥିଲା । ସେଠାରେ ସେ ଉପଗ୍ରହ କିଭଳି ବିକାଶ କରାଯାଉଛି, ତାହା ଦେଖିଥିଲେ ଏବଂ ବିଶିଷ୍ଟ ବୈଜ୍ଞାନିକମାନଙ୍କଠାରୁ ସେ ସମ୍ପର୍କରେ ଅଧିକ ଜାଣିପାରିଥିଲେ । ତାଙ୍କ ସହ ଯାଇଥିବା ଛାତ୍ରଛାତ୍ରୀମାନେ ବିଶ୍ୱେଶ୍ୱରାୟ ଶିଳ୍ପ ଓ ପ୍ରଯୁକ୍ତି ସଂଗ୍ରହାଳୟ ପରିଦର୍ଶନ କରି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ଅଧିକ ଜ୍ଞାନ ଆହରଣ କରିଥିଲେ । ଏହି ଶିକ୍ଷଣୀୟ ଭ୍ରମଣ ୨୦୨୫ ମେ’ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ।

ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ଉପସଚିବ ଏବଂ ପଠାଣି ସାମନ୍ତ ପ୍ଲାନେଟାରିୟମର ନିର୍ଦ୍ଦେଶକ ଶ୍ରୀମତୀ ଉର୍ମିପ୍ରଭା ମହାରଣା ଏବଂ ଟାଟା ଷ୍ଟିଲର ଅଧିକାରୀମାନଙ୍କ ନେତୃତ୍ୱରେ ଏହି ପରିଭ୍ରମଣ ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀମାନେ ନିଜ ନିଜ ଅଭିଭାବକଙ୍କ ସହ ଏହି ପରିଦର୍ଶନରେ ଯୋଗ ଦେଇଥିଲେ ।

ହରିହର ବାଙ୍କୁଲା ଏବଂ ଲୀଳାବତୀ ବାଙ୍କୁଲାଙ୍କ ଝିଅ ଭାବନୀ ନିଜ ଉତ୍ସାହ ପ୍ରକାଶ କରି କହିଛନ୍ତି ଯେ, ‘ୟାଟ୍ସ କାର୍ଯ୍ୟକ୍ରମ ପାଇଁ ଟାଟା ଷ୍ଟିଲକୁ ଧନ୍ୟବାଦ । ମୁଁ ଇସ୍ରୋର ବେଙ୍ଗାଳୁରୁସ୍ଥିତ ପ୍ରମୁଖ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରିବାର ଏକ ଅଦ୍ଭୁତ ସୁଯୋଗ ପାଇଥିଲି । ଉପଗ୍ରହ ବିକାଶ ପ୍ରକ୍ରିୟା ସ୍ୱଚକ୍ଷୁରେ ଦେଖିବା ଏବଂ ବୈଜ୍ଞାନିକମାନଙ୍କ ଠାରୁ ମହାକାଶ ବିଜ୍ଞାନ ସମ୍ପର୍କରେ ଜ୍ଞାନ ଆହରଣ କରିବା ମୋ ପାଇଁ ବାସ୍ତବ ଏବଂ ରୋମାଞ୍ଚକର କରିଥିଲା । ସଂଗ୍ରହାଳୟ ପରିଦର୍ଶନ ଏହି ଅନୁଭୂତିକୁ ଆହୁରି ସମୃଦ୍ଧ କରିଥିଲା । ଏହି ଭ୍ରମଣ ମୋତେ ପ୍ରେରଣା ଦେଇଥିବା ବେଳେ ମହାକାଶ ପ୍ରଯୁକ୍ତିବିଦ୍ୟାରେ କ୍ୟାରିଅର୍ ଗଢ଼ିବା ପାଇଁ ମୋ ଦୃଢ଼ ସଂକଳ୍ପକୁ ଆହୁରି ମଜଭୂତ କରିଛି ।’’

ଏ ସମ୍ପର୍କରେ କାଟେସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ନରେଶ ଚନ୍ଦ୍ର ମହାନ୍ତ କହନ୍ତି, “ବିଶେଷ କରି ଉପାନ୍ତ ଅଞ୍ଚଳରେ ବିଜ୍ଞାନ ଶିକ୍ଷା ର ପ୍ରଚାର ଏବଂ ପ୍ରସାର ପାଇଁ ଟାଟା ଷ୍ଟିଲର ଅବଦାନ ଅତୁଳନୀୟ । କେବଳ ଟାଟା ଷ୍ଟିଲର ସହଯୋଗ ପାଇଁ ଛାତ୍ରଛାତ୍ରୀ ମାନେ ଏତେ ଆଗକୁ ଯାଇପାରିଛନ୍ତି ଏବଂ ଏଭଳି ପ୍ରଚେଷ୍ଟା ଜାରି ରହିଲେ, ଦିନେ ଏହି ପିଲାମାନଙ୍କ ମଧ୍ଯରୁ ବୈଜ୍ଞାନିକ ହୋଇ ବାହାରିବେ ।”

‘ମହାକାଶ ଆପଣଙ୍କ ପରବର୍ତ୍ତୀ ଭ୍ରମଣ ସ୍ଥଳ ହେବ କି?” ବିଷୟବସ୍ତୁ ଉପରେ ଆଧାରିତ ୟାଟ୍ସ ର ୧୮ତମ ସଂସ୍କରଣରେ ଓଡ଼ିଶାର ୭୧,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ପ୍ରତିଷ୍ଠିତ ଶିକ୍ଷାମୂଳକ ଭ୍ରମଣ ପାଇଁ ଶୀର୍ଷ ୩୦ ବିଜେତାଙ୍କୁ ଚୟନ କରାଯାଇଥିଲା । ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବା ଏବଂ ମହାକାଶ ବିଜ୍ଞାନରେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

୨୦୦୭ରେ ଟାଟା ଷ୍ଟିଲ୍ ଓ ପଠାଣି ସାମନ୍ତ ପ୍ଲାନେଟାରିୟମର ମିଳିତ ସହଯୋଗରେ ୟାଟ୍ସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ । ଏହା ପ୍ରଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ପରମ୍ପରାକୁ ସମ୍ମାନ ଜଣାଉଛି । ଗତ ୧୮ ବର୍ଷରେ ଏହି କାର୍ଯ୍ୟକ୍ରମରେ ୪.୭୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ଏବଂ ୨୩୦ ଯୁବ ପ୍ରତିଭାଙ୍କୁ ଇସ୍ରୋର ପ୍ରମୁଖ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରିବାର ସୁଯୋଗ ମିଳିଛି ।