ମଧ୍ୟପ୍ରଦେଶ: ଅଜବ ମାନସିକତା । ଦେବ ଦେବ ମହାଦେବ ଯଦି ବେକରେ ସାପ ପକାଇ ଧ୍ୟାନ କରି ପାରୁଛନ୍ତି । ତେବେ ସେ ବେକରେ ସାପ ଗୁଡ଼ାଇ ବାଟ ଚାଲିବାରେ ଅସୁବିଧା କ’ଣ? ଏମିତି ଏକ ଅଜବ ଖୟାଲ ରଖି ଜଣେ ଯୁବକ ବେକରେ ସାପ ଗୁଡ଼ାଇଥିଲେ । ମାତ୍ର ବେକରେ ଗୁଡ଼ାଇ ହୋଇ ରହିଥିବା ସାପଟି କେତେ ସମୟ ସୁନାପିଲାଙ୍କ ଭଳି ଅଭିନୟ କରିବ ?
ବୁଧବାର ଦିନର ଘଟଣା । ମଧ୍ୟପ୍ରଦେଶର ଗୁନା ଜିଲ୍ଲା ନିବାସୀ ୩୫ ବର୍ଷୀୟ ଦୀପକ । ବିଷଧର ସାପ ଧରାଳି ଭାବେ ସେ ଜଣାଶୁଣା ଥିଲେ । ଗୋଟିଏ କଲେଜରେ କାମ କରୁଥିଲେ ଦୀପକ ।
ତେବେ ସାପ ଧରିବା ତାଙ୍କର ଏକ ସଉକ ଥିଲା । କାହା ଘରେ ଅବା ଫାର୍ମରେ ସାପଟିଏ ପଶିଗଲେ ଦୀପକଙ୍କୁ ଡକା ଯାଉଥିଲା । ଡକରା ପାଇ ଦୀପକ କାଳବିଳମ୍ବ ନକରି ସେଠାରେ ପହଂଚି ଯାଉଥିଲେ । ସାପକୁ ଧରି ଅନ୍ୟତ୍ର ଛାଡ଼ି ଦେଉଥିଲେ ।
ଘଟଣା ଦିନ ଦୀପକ ଜଣକ ଘରୁ ବିଷଧର ନାଗ ସାପଟିକୁ ଧରିଲେ, ଗୋଟିଏ କାଚ ଜାରରେ ପୁରାଇଲେ । ଶ୍ରାବଣ ମାସର କାଉଡ଼ିଆଙ୍କ ଶୋଭାଯାତ୍ରା କଥା ମନକୁ ଆସିଲା । ପୁଅକୁ ଧରି ବିଦ୍ୟାଳୟ ଯିବା ବାଟରେ ବେକରେ ସାପଟିକୁ ଗୁଡ଼ାଇଥିଲେ ।
ରାସ୍ତାରେ ବାଇକ ଚଲାଇ ଯାଉଥିବା ଜଣେ ବ୍ୟକ୍ତି ତାଙ୍କର ଭିଡ଼ିଓ ସୁଟିଂ କରି ସୋସିଆଲ ମିଡିଆରେ ଛାଡ଼ିଦେଲେ । ଭିଡ଼ିଓଟି ଭାଇରାଲ ହେଲା । ମାତ୍ର ଏଣେ ସାପଟି ହଠାତ ଦୀପକକୁ ଚୋଟ ପରେ ଚୋଟ ମାରିଦେଲା । ଦୀପକ ତଳେ ପଡ଼ି ବେହୋସ୍ ହୋଇଗଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନିଆଗଲା । ଡାକ୍ତରମାନେ ବହୁ ଚେଷ୍ଟା କରି ତାଙ୍କୁ ବଂଚାଇ ପାରିଲେନି । ଦୀପକଙ୍କର ଦୁଇଟି ପୁଅ ଅଛନ୍ତି । ବଡ଼ପୁଅ ଚିରାଗର ବୟସ ୧୪ ବର୍ଷ ଓ ସାନପୁଅ ରୌନକର ବୟସ ୧୨ ବର୍ଷ । ଦୀପକଙ୍କର ପତ୍ନୀ ମରି ଯାଇଛନ୍ତି ।
ଯୋଉ ସାପକୁ ଧରି ସେ ଶତାଧିକ ଲୋକଙ୍କୁ ମୃତ୍ୟୁ କବଳରୁ ବଂଚାଇ ଦେଉଥିଲେ । ସେ ନିଜେ ଦିନେ ସାପ ଚୋଟରେ ଜୀବନ ହରାଇଲେ ବୋଲି ଯିଏ ଶୁଣିଲା ସେ ଆଶ୍ଚର୍ଯ୍ୟ ହେଉଛନ୍ତି ।