ୱାଶିଂଟନ: ପାକ୍ ଆତଙ୍କୀ ସଂଗଠନ ‘ଦି ରେଜିଷ୍ଟାନ୍ସ ଫ୍ରନ୍ଟ ବା ଟିଆର୍ଏଫ୍’କୁ ଆନ୍ତର୍ଜାତିକ ସ୍ୱୀକୃତି ପ୍ରଦାନ କରି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାକୁ ଲୋକଦେଖାଣିଆ ବାସନ୍ଦ କରିଛନ୍ତି କି ବାସ୍ତବରେ, ତାହା ସହଜରେ ଠଉରାଇ ପାରି ନାହାନ୍ତି ଭାରତର ବୁଦ୍ଧିଜୀବୀ ମହଲ ।
ଗୋଟିଏ ପକ୍ଷରେ ଭାରତ-ପାକ୍ ଅସ୍ତ୍ରବିରତି ପାଇଁ ଟ୍ରମ୍ପ ନିଜକୁ ମହାନାୟକ ଦାବି କରିଥିଲା ବେଳେ ଟିଆର୍ଏଫ୍ ଆଶ୍ରୟଦାତା ପାକିସ୍ତାନକୁ ବିପୁଳ ଆର୍ଥିକ ସହାୟତା ପ୍ରଦାନ କରିବା କେମିତି ଟିକେ ଅଡୁଆ ଲାଗୁଛି । ଟ୍ରମ୍ପ ଏକ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିଛନ୍ତି ଯେ ଜମ୍ମୁ-କଶ୍ମୀରସ୍ଥିତ ପେହେଲଗାମ ଅଂଚଳର ବୈସାରଣ ଉପତ୍ୟକାରେ ଘଟିଥିବା ଆତଙ୍କୀ ହମ୍ଲାର ମାଷ୍ଟର ମାଇଣ୍ଡ ଥିଲା ଟିଆର୍ଏଫ୍ । ଟିଆର୍ଏଫ୍କୁ ବିଶ୍ୱ ଆତଙ୍କୀ ସଂଗଠନ ଘୋଷଣା କରି ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ସୁରକ୍ଷା ବାହିନୀ ମନରେ ଦୃଢ଼ ମନୋବଳ ଭରି ଦେଇଛନ୍ତି ବୋଲି କହିଛନ୍ତି ।
ମାତ୍ର ସତକଥା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ନିକଟରୁ ସାହସ ପାଇ ପାକ୍ ସରକାର ମାଡ଼ି ବସିଥିବା କଶ୍ମୀର ଅଂଚଳରେ ଆତଙ୍କୀ ଚାଷ କରୁଛନ୍ତି । ଟ୍ରମ୍ପ ପାକିସ୍ତାନ ମାଟିରେ ଠିଆ ହୋଇ ଭାରତ ବିରୋଧରେ ଆତଙ୍କୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିଲା ବେଳେ ଭାରତ ମାଟିରେ ଠିଆ ହୋଇ ପାକ୍ ଆତଙ୍କୀ ସଂଗଠନକୁ ବିଶ୍ୱ ଦରବାରରେ ବାସନ୍ଦ ଘୋଷଣା କରି ଭାରତ ନିକଟରେ ସୁନାପୁଅ ହେବାର ଅପଚେଷ୍ଟା କରୁଛନ୍ତି ।