କେବେ କଳ୍ପନା କରି ନଥିଲେ, ମୃତ୍ୟୁ ତାଙ୍କୁ ଏପରି ଆଲିଙ୍ଗନ କରିବ? ଆକାଶରେ ଭସା ଭସା ବାଦଲ ଉହାଡ଼ରୁ ତଳକୁ କୁଦା ମାରି ସେ ସାରାବିଶ୍ୱରେ ଅଦ୍ୱିତୀୟ କିର୍ତିମାନ ରଚିଥିଲେ । ସେହି ଖ୍ୟାତି ବଜାୟ ରଖିବା ତାଙ୍କ ପାଇଁ କାଳ ହୋଇଗଲା ।
ବିଶ୍ୱର ଶ୍ରେଷ୍ଠ ପାରାଗ୍ଲାଇଡର୍ ଫେଲିକ୍ସ ବୌମଗର୍ଟନର ଆମ ଗହଣରେ ନାହାନ୍ତି । ଇଟାଲି ଆକାଶରେ ଦୋଳାୟମାନ ଏକ ବେଲୁନରୁ ତଳକୁ କୁଦା ମାରିବାକୁ ଉଦ୍ୟମ କଲାବେଳେ ଆକସ୍ମିକ ତାଙ୍କର ପ୍ରାଣବାୟୁ ଉଡ଼ିଗଲା ।
ଇଟାଲି ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ଖବର ଅନୁସାରେ ୫୬ ବର୍ଷୀୟ ଫେଲିକ୍ସ ପାରାଗ୍ଲାଇଡିଂ କରୁଥିବା ସମୟରେ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କ ଗ୍ଲାଇଡରଟି ଗୋଟିଏ ହୋଟେଲ ପୁଲକୁ ଖସି ପଡ଼ିଥିଲା । ସମ୍ଭବତଃ ଗ୍ଲାଇଡରଟି ତଳେ ପହଂଚିଲା ବେଳକୁ ଫେଲିକ୍ସଙ୍କ ପିଣ୍ଡରେ ପ୍ରାଣ ନଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ ପୁଲ ନିକଟରେ ପଡ଼ିବା ପରେ ଫେଲିକ୍ସ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ ।
ମଝି ଆକାଶରେ ବେଲୁନରେ ଥିବା ସମୟରେ ଫେଲିକ୍ସ ହୃଦଘାତର ଶିକାର ହୋଇଥିବା ସନେ୍ଦହ କରାଯାଉଛି । ହୋଟେଲ ପୁଲ ନିକଟରେ ଠିଆ ହୋଇଥିବା ଜଣେ ପରିଚାରିକା ମଧ୍ୟ ଫେଲିକ୍ସଙ୍କ ଗ୍ଲାଇଡରଟିର ଶିକାର ହୋଇ ସାମାନ୍ୟ ଆହତ ହୋଇଛନ୍ତି।